ଜାତୀୟ

ସୁନା, ଆଲୁମିନିୟମ୍‌ରେ ଲେଖା ହେଉଛି ବିଶ୍ୱର ସବୁଠୁ ବଡ଼ କୋରାନ, ୨୦୨୬ ସୁଦ୍ଧା ଶେଷ ହେବ କାମ

ନୂଆଦିଲ୍ଲୀ() ସଂଯୁକ୍ତ ଆରବ ଏମିରେଟ୍‌ (ୟୁଏଇ)ରେ ଦୁବାଇ ଏକ୍ସପୋ-୨୦୨୦ରେ ଏ ସପ୍ତାହ ବିଶ୍ୱର ସବୁଠୁ ବଡ଼ କୋରାନର ଗୋଟିଏ ଫର୍ଦ୍ଦର ଅନାବରଣ ହୋଇଛି । ଏହି ଦୁର୍ଲ୍ଲଭ କଳାକୃତିକୁ ଦେଖିବା ପାଇଁ ଏକ୍ସପୋରେ ଭିଡ଼ ଜମା ହୋଇଥିଲା । କୋରାନର ଶବ୍ଦଗୁଡ଼ିକୁ ଲେଖିବା ପାଇଁ କୌଣସି ସ୍ୟାହି ପ୍ରୟୋଗ ହୋଇନାହିଁ, ବରଂ ସୁନା ଓ ଆଲୁମିନିୟମ୍‌ ଦ୍ୱାରା ବେଶ ସୁନ୍ଦର ଭାବେ ଏହାକୁ ଲେଖାଯାଇଛି ।

ପାକିସ୍ତାନର ପ୍ରସିଦ୍ଧ କଳାକାର ଶାହିଦ ରସମ ଏହାକୁ ପ୍ରସ୍ତୁତ କରୁଛନ୍ତି ।

ପାକିସ୍ତାନର ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନର ବାଣିଜ୍ୟ ମନ୍ତ୍ରୀ ଅବଦୁଲ ରଜାକ ଦାଉଦ ସଂଯୁକ୍ତ ଆରବ ଏମିରେଟ୍‌ରେ ପାକିସ୍ତାନର ରାଜଦୂତ ଅଫଜଲ ମହମୂଦ, ବରିଷ୍ଠ ଏକ୍ସପୋ ଅଧିକାରୀଗଣ ଏବଂ ରାଜନେତାଙ୍କ ସହ ମିଶି ଏହି କଳାକୃତିର ଉଦ୍‌ଘାଟନ କରିଛନ୍ତି । ଦୁବାଇ ଏକ୍ସପୋ ୨୦୨୦ର ପାକିସ୍ତାନ ପାଭେଲିୟନ୍‌ରେ କୋରାନର ଅଂଶ ‘ସୂରହ ଅଲ୍‌-ରହମାନ୍‌’ ପ୍ରଦର୍ଶିତ ହୋଇଛି । ରସମ ଓ ତାଙ୍କର ୨୦୦ରୁ ଅଧିକ ସହଯୋଗୀ ୨୦୧୭ରୁ କୋରାନର ବିଶ୍ୱର ସବୁଠୁ ବଡ଼ ଫର୍ଦ୍ଦ ପ୍ରସ୍ତୁତିରେ କାମ କରୁଛନ୍ତି । ୨୦୨୬ରେ ଏହି କୋରାନ ଶେଷ ହେବ ।

ରସମ ଗଣମାଧ୍ୟମକୁ କହିଛନ୍ତି, ଏହି କଳାକୃତି ବିଭିନ୍ନ ଦିଗରୁ ଅଦ୍ୱିତୀୟ ଓ ସମ୍ପୂର୍ଣ୍ଣ ନୂଆ । ଇସ୍‌ଲାମିକ ଇତିହାସରେ ପ୍ରଥମ ଥର କାନ୍‌ଭାସରେ ଆଲୁମିନିୟମ୍‌ ଓ ସୁନାର ଶବ୍ଦ ପ୍ରୟୋଗ କରାଯାଇଛି । ଏହି କାର୍ଯ୍ୟ ସମ୍ପାଦନ ଲାଗି ତାଙ୍କୁ ୪ ମାସ ଲାଗିଛି । ସୂରହ ଅଲ-ରହମାନ୍‌କୁ ଏକ ବିଶେଷ କାନ୍‌ଭାସ୍‌ରେ ଉତାରିବା ପାଇଁ ୧୫ କିଲୋଗ୍ରାମ୍‌ ଆଲୁମିନିୟମ୍‌ ଓ ୧ କିଲୋଗ୍ରାମ୍‌ରୁ ଅଧିକ ସୁନା ପ୍ରୟୋଗ କରାଯାଇଛି । କାନ୍‌ଭାସ୍‌ର ଲମ୍ବା ୮.୫ ଫୁଟ ଓ ଚଉଡ଼ା ୬.୫ ଫୁଟ ।

୨୦୧୭ରେ ଆଫଗାନିସ୍ତାନରେ ପ୍ରସ୍ତୁତ ୬.୫ ଫୁଟ ଲମ୍ବା ଓ ୪.୫ ଫୁଟ ଚଉଡ଼ା କୋରାନ ଫର୍ଦ୍ଦର ରେକର୍ଡ ଏହା ଭାଙ୍ଗିଛି । କରାଚି ବାସିନ୍ଦା ରସମ କହିଛନ୍ତି, ତୁର୍କୀ, ଆରବୀ ଓ ଇରାନ କଳା ଦ୍ୱାରା ତାଙ୍କ କାମ ପ୍ରେରିତ । ଏହି କୋରାନ ୫୫୦ ଫର୍ଦ୍ଦର ହେବ ଏବଂ ଏଥିରେ ୭୭,୪୩୦ ଶବ୍ଦ ରହିବ । ଏହି ଶବ୍ଦକୁ ଲେଖିବା ପାଇଁ ୨୦୦ କିଲୋରୁ ଅଧିକ ସୁନା, ୨୦୦୦ କିଲୋ ଆଲୁମିନିୟମ୍‌ ଏବଂ ୬୦୦ କାନ୍‌ଭାସ ରୋଲ୍‌ ବ୍ୟବହୃତ ହେବ । ଡିଜାଇନ୍‌କୁ ସୁନ୍ଦର ଓ ଚମକଦାର କରିବା ପାଇଁ ମାଣିକ, ନିଲମ୍‌ ଓ ପାନ୍ନା ଭଳି ମୂଲ୍ୟବାନ ପଥର ବ୍ୟବହାର କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com