ଜାତୀୟରାଜନୀତି

ଓଡ଼ିଆ ପୁଅ ହେବେ କି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି, ବିଶ୍ୱଭୂଷଣଙ୍କୁ ନେଇ ଦିଲ୍ଲୀ ଦରବାରରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହି ମୁଦ୍ଦା ଏବେ ଉଠିବାରେ ଲାଗିଛି । ରାଜନୈତିକ ଅଙ୍କ ମୁତାବକ, ବିଜେପିକୁ ଆସନ୍ତା ରାଷ୍ଟ୍ରପତି ଭୋଟ ବେଳେ ବିଶେଷ କିଛି ଅସୁବିଧା ହେବାର ସମ୍ଭାବନା ନାହିଁ । ନିକଟରେ କିଛି ରାଜ୍ୟସଭା ସିଟ୍ ଖାଲି ହୋଇଥିବାରୁ ତାହା ବିଜେପି ଉପରେ କିଛିଟା ପ୍ରଭାବ ପକାଇପାରେ । ତେଣୁ ବିଜେପି ଓଡ଼ିଶା ସମେତ କିଛି ଆଞ୍ଚଳିକ ଦଳ ସହ ବୁଝାମଣା ପ୍ରୟାସରେ ରହିଛି ।
ତେବେ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ବିଜେପିର ବରିଷ୍ଠ ନେତା ଓଡ଼ିଆ ପୁଅ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ରହିଛି । ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଦିଓ ବିଶ୍ୱଭୂଷଣଙ୍କ ନାମ ଫାଇନାଲ ହୋଇନାହିଁ, ତଥାପି ତାଙ୍କୁ ନେଇ ଦିଲ୍ଲୀ ଦରବାରରେ ଚର୍ଚ୍ଚା ହେଉଥିବା କୁହାଯାଉଛି । ଏ ବାବଦରେ ରାଜ୍ୟର କିଛି ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇସାରିଛି । ଏଥର ରାଷ୍ଟ୍ରପତି ପଦ ପାଇଁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଓ କୋବିନ୍ଦଙ୍କ ସହ ଅନ୍ୟ କିଛି ନେତାଙ୍କ ନାମ ଶୁଣାଯାଉଛି । ତେବେ ଯେତେ ଚର୍ଚ୍ଚା ହେଲେ ବି ଚୂଡ଼ାନ୍ତି ନିଷ୍ପତ୍ତି ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ୱଭୂଷଣ ଜଣେ ବିଚକ୍ଷଣ ରାଜନେତା ହୋଇଥିବା ବେଳେ ରାଜନୀତି କ୍ଷେତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଛି । ତେଣୁ ଏଭଳି ଜଣେ ଓଡ଼ିଆ ପୁଅଙ୍କ ମୁଣ୍ଡରେ ଯଦି ହାତୀ ସୁନା କଳସ ଢାଳେ, ତେବେ ପ୍ରଥମ ଓଡ଼ିଆ ଭାବେ ବିଶ୍ୱଭୂଷଣ ଦେଶର ପ୍ରଥମ ନାଗରିକ ଭାର କାନେ୍ଧବାର ସୌଭାଗ୍ୟ ଅର୍ଜନ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com