ଓଡ଼ିଶା

ସୈନିକ ସ୍କୁଲ ପରିସରରେ ଶହୀଦ କ୍ୟାପଟେନ୍ ଆଶୁତୋଷଙ୍କ ପ୍ରତିମୂର୍ତ୍ତିର ଅନାବରଣ

ଭୁବନେଶ୍ୱର() ସୈନିକ ସ୍କୁଲ ପ୍ରାଙ୍ଗଣରେ ମରଣୋତ୍ତର ସୂର୍ଯ୍ୟ ଚକ୍ରରେ ସମ୍ମାନିତ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ଶହୀଦ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉତ୍ସବ ଗତକାଲି ସକାଳେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଶହୀଦଙ୍କ ପିତା ରବୀନ୍ଦ୍ର ଭାରତୀ ଓ ମାତା ଗୀତା ଦେବୀ ଯୋଗେଦଇ ଶହୀଦ ଆଶୁତୋଷଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଅନାବରଣ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଛତିଶଗଡ଼ ଏବଂ ଓଡ଼ିଶା ସବ୍ ଏରିଆ କମାଣ୍ଡର ବ୍ରିଗେଡିୟର ବିଘ୍ନେଶ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଓ ପ୍ରତିରକ୍ଷା ବାହିନୀର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦେଇଥିବା ବେଳେ ଶହୀଦ ଆଶୁତୋଷଙ୍କ ଉଭଣୀ ଅଂଶକୁମାରୀ, ଅନ୍ୟ ପରିବାରବର୍ଗ ଓ ବହୁ ସହପାଠୀ ଉପସ୍ଥିତ ଥିଲେ ।

ସୈନିକ ସ୍କୁଲର ଅଧ୍ୟକ୍ଷ ଏସ୍‌ ଡୋମିନିକ୍ ରାୟନ, ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରିତିକା ଶର୍ମା ଓ ଉପାଧ୍ୟକ୍ଷା କମାଣ୍ଡର ଉଷା ସାଙ୍ଗଓ୍ୱାନ ଯୋଗଦେଇ ଶହୀଦଙ୍କ ସମ୍ମାନାର୍ଥେ ସମସ୍ତ ବ୍ୟବସ୍ଥା କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଶହୀଦ ଆଶୁତୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶହୀଦଙ୍କ ପିତାମାତା ଓ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ଚାରା ରୋପଣ କରାଯାଇଥିଲା । ଉତ୍ସବରେ ସୈନିକ ସ୍କୁଲର ପୁରାତନ ଛାତ୍ର ସଂସଦର ବହୁ ପ୍ରତିନିଧି, ଛାତ୍ରଛାତ୍ରୀ, ବିଦ୍ୟାଳୟର ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଶହୀଦ ଆଶୁତୋଷଙ୍କ ସ୍ମୃତିରେ ‘ଭାରତ ମାତା କି ଜୟ’ ‘କ୍ୟାପଟେନ୍ ଆଶୁତୋଷ କୁମାର ଅମର ରହେ’ ସ୍ଳୋଗାନ୍ ଦେଇ ତାଙ୍କ ଅମରଆତ୍ମାର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଦେଶ ପାଇଁ ଶହୀଦ ହୋଇଥିବା କ୍ୟାପଟେନ୍ ଆଶୁତୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିଦ୍ୟାଳୟ ପରିସରରେ ଏକ ଆବେଗ ଓ ଗୌରବମୟ ପରିବେଶ ସୃଷ୍ଟି କରିଥିଲା ।

ସୂଚନା ଯୋଗ୍ୟ ଯେ, ୧୫ ଅକ୍ଟୋବର ୧୯୯୬ରେ ବିହାର ପ୍ରଦେଶ ମାଧେପୁର ଜିଲ୍ଲାର ପରମାନପୁର ଗାଁରେ ଜନ୍ମଗ୍ରହଣ କରିଥିବା କ୍ୟାପଟେନ୍ ଆଶୁତୋଷ କୁମାର, ଭୁବନେଶ୍ୱର ସୈନିକ ସ୍କୁଲରେ ଅଧ୍ୟୟନ ଶେଷ କରି ଜାତୀୟ ପ୍ରତିରକ୍ଷା ବାହିନୀ (ଏନଡିଏ)ରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିଥିଲେ ଓ ପ୍ରଶିକ୍ଷଣ ପରେ ଡେରାଡୁନ୍ ସ୍ଥିତ ଭାରତୀୟ ମିଲିଟାରୀ ଏକାଡେମୀରେ ଶିକ୍ଷା ସମାପ୍ତି କରିଥିଲେ । ୨୦୨୦ ନଭେମ୍ୱରରେ ସେ ଏହି ରେଜିମେଣ୍ଟରେ କୁପଓ୍ୱାରା ଜିଲ୍ଲାରେ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଶତ୍ରୁସେନାଙ୍କ ଗୁଳିରେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ସହିତ ଅନ୍ୟ ୪ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ୪ଜଣଙ୍କ ମଧ୍ୟରୁ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ସମେତ ତାଙ୍କର ହାବିଲଦାର ପ୍ରବୀଣ କୁମାର ଏବଂ ରାଇଫଲ୍ ମ୍ୟାନ୍ ରାଡା ମହେଶ୍ୱର ଶହୀଦ ହୋଇଥିଲେ । ଅତୁଳନୀୟ ସାହାସ କର୍ତ୍ତବ୍ୟ ନିଷ୍ଠା ଓ ଦେଶପାଇଁ  ତ୍ୟାଗ ନିମନ୍ତେ କ୍ୟାପଟେନ୍ ଆଶୁତୋଷଙ୍କୁ ୨୦୨୧ ମସିହା ସ୍ୱାଧୀନତା ଦିବସରେ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com