ଓଡ଼ିଶାଜାତୀୟଶିକ୍ଷା

ରାଜ୍ୟରେ ଖୋଲିବ ୩ ନୂଆ ଡ୍ରାଇଭିଂ ଟ୍ରେନିଂ ଅନୁଷ୍ଠାନ

ଭୁବନେଶ୍ୱର, ୦୮/୧୧/୨୦୨୨-  ରାଜ୍ୟରେ ବଢି ଚାଲିଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଦକ୍ଷ ଗାଡି ଚାଳକ ସୃଷ୍ଟି ପାଇଁ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରାଯାଇଛି । ଏଥିନେଇ ରାଜ୍ୟରେ ନୂଆ କରି ପ୍ରତିଷ୍ଠା କରାଯିବ ୩ ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅଶୋକ ଲେଲ୍ୟାଣ୍ଡ ସହିତ ବୁଝାମଣା ସ୍ୱାକ୍ଷାରିତ ହୋଇଛି । ରାଜ୍ୟର ଖଣି ଓ ବାଣିଜ୍ୟିକ ଅଞ୍ଚଳରେ ଦକ୍ଷ ଗାଡ଼ି ଚାଳକଙ୍କ ଅଭାବ ପୂରଣ କରିବାକୁ ଏପରି ବ୍ୟବସ୍ଥା କରାଯାଇଛି । ଏହିସବୁ ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ସ୍ଥାପନ କରାଯିବ । ବ୍ରହ୍ମପୁରରେ ୧୪୦ ଜଣ, କେନ୍ଦୁଝରରେ ୧୩୪ ଜଣ ଓ ସୁନ୍ଦରଗଡ଼ରେ ପ୍ରତି ମାସରେ ୧୫୦ ଜଣ ଯୁବକ, ଯୁବତୀ ଟ୍ରେନିଂ ନେବେ ।

ମାସିକିଆ ପାଠ୍ୟକ୍ରମରେ ସେମାନଙ୍କୁ ଉତ୍ତମ ସଡ଼କ ଆଚରଣ ଓ କୌଶଳ ଉପରେ ଟ୍ରେନିଂ ଦିଆଯିବ । ଏହି ଅନୁଷ୍ଠାନଗୁଡ଼ିକର ବିକାଶ, ପରିଚାଳନା ଓ ପ୍ରଶିକ୍ଷଣ ପାଇଁ କମ୍ପାନୀ କାର‌୍ୟ୍ୟ କରିବ । ଏଥିରେ ପ୍ରତି ମାସରେ ରାଜ୍ୟରୁ ୪୨୪ ଜଣ ଚାଳକ ଟ୍ରେନିଂ ନେବେ । ଏହି ପ୍ରଶିକ୍ଷଣ କେନ୍ଦ୍ର ରାଜ୍ୟର ଯୁବକ, ଯୁବତୀଙ୍କୁ ରାଜ୍ୟ ଭିତରେ ଓ ବାହାରେ କର୍ମ ନିଯୁକ୍ତି ଯୋଗାଇବାରେ ସହାୟକ ହେବ । ଏଥିସହିତ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର ହ୍ରାସ ପାଇବ ବୋଲି ପରିବହନ କମିସନର କହିଛନ୍ତି । ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷାର୍ଥୀଙ୍କୁ ମାଗଣାରେ ଟ୍ରେନିଂ, ହଷ୍ଟେଲରେ ରହିବା, ଖାଦ୍ୟ ବ୍ୟବସ୍ଥା, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନର ସମସ୍ତ ବ୍ୟବସ୍ଥା କରାଯିବ । ୨୦୧୩ରେ ଯାଜପୁର ଜିଲ୍ଲା ଛତିଆଠାରେ ଏକ ଭାରି ଯାନ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର କାର‌୍ୟ୍ୟକାରୀ ହୋଇଥିଲା । ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ସର୍ବାଧିକ ଗାଡ଼ି ଚାଳନା ପ୍ରଶିକ୍ଷଣ କେନ୍ଦ୍ର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com