ଓଡ଼ିଶା

ଚିଲିକା ଡଙ୍ଗା ବୁଡ଼ି ଘଟଣା ପରେ ଆକ୍ସନ୍‌ ମୁଡ୍‌ରେ ସ୍ଥାନୀୟ ପ୍ରଶାସନ, ବାତ୍ୟା ନଟଳିବା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ

ଟାଙ୍ଗୀ() ଚିଲିକାରେ ଡଙ୍ଗା ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଘଟିବା ପରେ ଆକ୍ସନ ମୁଡ୍‌ରେ ସ୍ଥାନୀୟ ପ୍ରଶାସନ । ବାତ୍ୟା ଆଶଙ୍କା ସମ୍ପୂର୍ଣ୍ଣ ନ ଟଳିବା ପର୍ଯ୍ୟନ୍ତ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ  ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଏନେଇ ବିଭିନ୍ନ ମୋଟର ବୋଟ୍ ଆସୋସିଏସନକୁ  ୱାର୍ଣ୍ଣିଂ ଜାରି କରାଯାଇଛି । ବାଲୁଗାଁ SDPO ଏବଂ ଚିଲିକା ତହସିଲଦାର ଏ ନେଇ ସୂଚନା ଦେଇଛନ୍ତି ।

ଗତକାଲି ଅପରାହ୍ନରେ ଚିଲିକାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ବୁଡି ଯାଇଥିଲା । ଏହି ଡଙ୍ଗାରେ ଥିଲେ ୮ ଜଣ ପର୍ଯ୍ୟଟକ (ଯାତ୍ରୀ), ୨ଜଣ ନାବୀକ ଏବଂ ଚିଲିକା ମଧ୍ୟରେ ଥିବା ମା’ କାଳିଜାଇ ଙ୍କ ପୀଠରେ ବ୍ୟବସାୟ କରୁଥିବା ୨ ଜଣ ସ୍ଥାନୀୟ ବାସିନ୍ଦା । ମା’ କାଳିଜାଈଙ୍କ ପୀଠରୁ ଏହି ଡଙ୍ଗାଟି ବାଲୁଗାଁ ଅଭିମୁଖେ ଫେରୁଥିବା ବେଳେ ହଠାତ୍ କାଳ ବୈଶାଖୀ ଝଡ ଆରମ୍ଭ ହୋଇଥିଲା । ତାହାର ପ୍ରଭାବରେ ଡଙ୍ଗାଟି ଚିଲିକା ମଧ୍ୟରେ ବୁଡି ଯାଇଥିଲା ।

ଏହି ସମୟରେ ବଡ଼କୂଳଠାରେ ଏକ କାର୍ଯ୍ୟକ୍ରମରେ ଥିଲେ ପୁଲିସ୍‌ ଅଧିକାରୀମାନେ । ସଙ୍ଗେ ସଙ୍ଗେ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନାଧିକାରୀ ରମାକାନ୍ତ ମହାଲିକ ଏବଂ ବାଲୁଗାଁ ପୁଲିସର ଅନ୍ୟ ଜଣେ ଏସ୍‌ଆଇ, ଓଟିଡିସିର ୪ଜଣ କର୍ମଚାରୀ, ୪ ଜଣ ନୌସେନା ଯବାନ ଓ ଜଣେ ଡାକ୍ତରଖାନା କର୍ମଚାରୀ ଘଟଣାସ୍ଥଳକୁ ଅନ୍ୟ ଏକ ମୋଟର ଡଙ୍ଗାରେ ପହଞ୍ଚିଥିଲେ ।

ପର୍ଯ୍ୟଟକଙ୍କ ମଧ୍ୟରୁ କେତେକ ଗଭୀର ଜଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଆଉ କେତେକ ପହଁରି ପହଁରି ଚଢ଼େଇଗୁହା ପାହାଡ଼କୁ ଚାଲିଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ମାତ୍ର ରାଜେନ୍ଦ୍ର ଖୁଣ୍ଟିଆ ନିଖୋଜ ହୋଇଯାଇଥିଲେ । ବହୁ ଚେଷ୍ଟା ପରେ ତାଙ୍କର ପତ୍ତା ମିଳିନଥିବା ଏସଡିପିଓ ଶ୍ରୀ ବାରିକ୍‌ କହିଛନ୍ତି ।

ଉଦ୍ଧାର ପର୍ଯ୍ୟଟକଙ୍କ ମଧ୍ୟରେ ୫ ଜଣ ମହିଳା, ଜଣେ ନାବାଳକ ଅଛନ୍ତି । ଚିଲିକାରେ ଡଙ୍ଗାବୁଡ଼ି ନୂଆ କଥା ନୁହେଁ । ୪ ବର୍ଷ ତଳେ ୨୦୧୮ ଜୁଲାଇ ୧୬ରେ ଚିଲିକାରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com