ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାର ତୁର୍ଫବଗାମ ଅଞ୍ଚଳରେ ରବିବାର ପୋଲିସ ଓ ସୁରକ୍ଷାବଳଙ୍କ ମିଳତ ଦଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ଜଣେ ସାଧାରଣ ସ୍ଥାନୀୟ ଲୋକ ଆହତ ହୋଇଥିଲେ। ତାଙ୍କୁ ପାଖରେ ଥିବା ଡାକ୍ତରଖାନା ନିଆ ଯାଇଥିଲା ବୋଲି ଜମ୍ମୁକାଶ୍ମୀର ପୋଲିସ କହିଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ପୁଲୱାମାକୁ ଯୋଡ଼ୁଥିବା ତୁର୍ଫବଗାମ ପୋଲ ପାଖରେ ଆତଙ୍କବାଦୀମାନେ ସିଆରପିଏଫ(କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ)ର ପେଟ୍ରୋଲିଙ୍ଗ ଦଳ ଉପରକୁ ଗୁଳି କରିଥିଲେ। ଏହା ପରେ ସିଆରପିଏଫ ଯବାନମାନେ ମଧ୍ୟ ତାଙ୍କ ଉପରେ ଜବାବି କାର୍ଯ୍ୟାନୁଷ୍ଠାନ କରିଥିଲେ। ଏହି ସଂଘର୍ଷ ଭିତରେ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ। ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଶୋଏବ ଗନି ହୋଇଥିବା ବେଳେ ସେ ସୋପିଆନର ତୁର୍ଫବଗାମ ଅଞ୍ଚଳର ଅଧିବାସୀ ଥିଲେ ବୋଲି ଜଣପଡ଼ିଛି। ସେଠାରେ ସଂଘର୍ଷ ସମୟରେ ଆତଙ୍କବାଦୀମାନେ ପାଖରେ ଥିବା ଜଙ୍ଗଲକୁ ଚାଲିଯାଇଥିଲେ। ଫେରାର ହୋଇଥିବା ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ଏବେ ସୁରକ୍ଷାବଳ ତଲାସି ଅଭିଯାନ ଆରମ୍ଭ କରିଛି ।
ଅନ୍ୟପଟେ, ସଂଘର୍ଷରେ ନାଗରିକଙ୍କ ମୃତ୍ୟ ହୋଇଥିବାରୁ ସୋପିଆନର ଲୋକମାନେ ଏହାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକମାନେ ସ୍ଲୋଗାନ ଦେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଘଟଣାସ୍ଥଳରେ ଜମ୍ମୁ କାଶ୍ମୀର ପୋଲିସ ଦଳ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।