ଜାତୀୟ

ବିଶ୍ୱରେ ବଢୁଛି ଭାରତୀୟ ଅସ୍ତ୍ରଶସ୍ତ୍ରର ଚାହିଦା, କେବଳ ମାଲେସିୟା ନୁହେଁ ଏହି ସବୁ ଦେଶ ବି ହେଲେଣି କ୍ରେତା

ନୂଆଦିଲ୍ଲୀ: ଭାରତର ହାଲୁକା ଲଢୁଆ ବିମାନ ତେଜସ୍ କୁ ଏବେ କେବଳ ଦେଶରେ ନୁହେଁ ବିଦେଶରେ ବି ପସନ୍ଦ କରାଗଲାଣି। ଚୀନ୍‌ର ଜେଏଫ-୧୭, ଦକ୍ଷିଣ କୋରିଆର ଏଫଏ-୫୦, ଋଷିଆର ମିଗ୍-୩୫ ଓ ୟାକ୍ ୧୩୦କୁ ପଛରେ ପକାଇ ତେଜସ୍ ମାଲେସିଆର ପ୍ରଥମ ପସନ୍ଦ ପାଲଟିଛି।  ମାଲେସିଆ ତାର ପୁରୁଣା ଲଢୁଆ ବିମାନ ବଦଳାଇ ସ୍କ୍ୱାଡ୍ରନରେ ତେଜସକୁ ସାମିଲ କରିବାକୁ ବିଚାର କରୁଛି।

ଏହି ପ୍ରତିରକ୍ଷା କ୍ରୟ ଲାଗି ଉଭୟ ଦେଶ ଏବେ  ଟେବୁଲରେ ଆଲୋଚନା ମଧ୍ୟ କଲେଣି। ଏଥିରୁ ଭାରତ ଏବେ କେବଳ ପ୍ରତିରକ୍ଷା ଆମଦାନୀ ନୁହେଁ ରପ୍ତାନୀ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି। ତେଜସ ନିର୍ମାତା ଭାରତ ସରକାରଙ୍କ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ)ଙ୍କ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର.ମାଧବନ ଭାରତର ତେଜସ୍ ଚୀନ୍, ଦକ୍ଷିଣ କୋରିଆ ଓ ଋଷିଆ ଯୁଦ୍ଧବିମାନଙ୍କ ପ୍ରତିଯୋଗୀତାରେ ବାଜି ମାରିନେଇଥିବା କହିଛନ୍ତି।

ଏହି କାରବାରରେ ମାଲେସିଆକୁ ଭାରତ ଏକ ଅଫର ମଧ୍ୟ ଦେଇଛି। ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଲାଗି ଜାରି ପାଶ୍ଚାତ୍ୟ କଟକଣାରେ ମାଲେସିଆର ମୂଳ ଋଷିଆ ଯୁଦ୍ଧବିମାନ ଏସୟୁ-୩୦( ସୁଖୋଇ-୩୦) ର ରକ୍ଷଣାବେକ୍ଷଣା ଓ ଯନ୍ତ୍ରାଂଶ ଉପଲବ୍ଧ କରିପାରୁ ନାହିଁ। ଏଥିରେ ଭାରତ ଏବେ ମାଲେସିଆକୁ ସାଥ ଦେଉଛି। ସୁଖୋଇ-୩୦ର ରକ୍ଷଣାବେକ୍ଷଣ, ମରାମତି ଓ ଏହାର ଯନ୍ତ୍ରାଂଶ ପରିବର୍ତ୍ତନ ଲାଗି ପ୍ରାସ୍ତାବ ଦେଇଛି।

ଏଥିରେ ମାଲେସିଆ ଯଦି ଭାରତର ତେଜସ୍ କ୍ରୟ କରୁଛି ତେବେ ଅନ୍ୟ ଦେଶଙ୍କୁ ବିକ୍ରୟ ଲାଗି ମଧ୍ୟ ବାଟ ଖୋଲିଯିବ। ଏଣୁ ବିମାନର ରପ୍ତାନୀ ଆରମ୍ଭ ହୋଇପାରିବ। ବିମାନ ବିକ୍ରି ଲାଗି ଭାରତ ଓ ମାଲେସିଆର ଆଲୋଚନା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆର.ମାଧବନ କହିଛନ୍ତି। କାରଣ ଭାରତ ହିଁ ଏକମାତ୍ର ଦେଶ ଯିଏ ଋଷିୟ ଯୁଦ୍ଧବିମାନର ରକ୍ଷଣାବେକ୍ଷଣ ଓ ମରାମତିର ପ୍ରତିଶ୍ରୁତି ଦେଇପାରୁଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମାଲେସିଆକୁ ଚୀନ୍‌ର ଜେଏଫ -୧୭ ତୁଳନାରେ ଭାରତର ତେଜସ୍ ଏମକେ-ଆଇଏ ଶସ୍ତା ପଡୁଛି। ଏହା ଛଡା ତେଜସ୍‌ର  ବୈଷୟିକ ଜ୍ଞାନକୌଶଳ ଏଏଫ-୧୭ଠାରୁ ଭଲ। ଏଥିରେ ମାଲେସିଆକୁ ଚୀନ୍‌ ଏସୟୁ-୩୦ ବିମାନଗୁଡିକର ରକ୍ଷଣାବେକ୍ଷଣ ଓ ମରାମତିରେ କୌଣସି ପ୍ରକାରର ସହଯୋଗ କରିପାରୁ ନାହିଁ । ଏଣୁ ମାଲେସିଆ ତାର ସ୍କ୍ୱାଡ୍ରନ ଲାଗି ଭାରତୀୟ ବିମାନକୁ ମନୋନୀତ କରିଛି। ଭାରତରୁ ବିମାନ କ୍ରୟ ନିମନ୍ତେ ମାଲେସିଆର ଏକ ଉଚ୍ଚ ଅଧିକାରୀ ଓ ବିଶେଷଜ୍ଞଙ୍କ ଟିମ୍‌ ଖୁବ୍ ଶୀଘ୍ର ଭାରତ ଆସିବେ ବୋଲି ଆଶା କରାଯାଉଛି। ତେବେ ଭାରତରୁ ମାଲେସିଆ କେତୋଟି ତେଜସ କିଣିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ପ୍ରତିରକ୍ଷା ରପ୍ତାନୀରେ ଭାରତ ଦିନକୁ ଦିନ ପ୍ରଗତି କରୁଛି। ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ଅନୁସାରେ ଭାରତ ବିଶ୍ୱର ୮୪ଟି ଦେଶଙ୍କୁ ରକ୍ଷା ସମ୍ପର୍କିତ ଉପକରଣ ଓ ଅସ୍ତ୍ରଶସ୍ତ୍ର ବିକ୍ରୟ କରୁଛି। ଏଥିରେ ବ୍ରିଟେନ, ଆମେରିକା, ଫ୍ରାନ୍ସ ଓ ସ୍ୱିଡେନଙ୍କ ଭଳି ଦେଶମାନେ ମଧ୍ୟ ଭାରତରୁ ପ୍ରତିକ୍ଷା ଆମଦାନୀ କରୁଛନ୍ତି। ସେହିପରି ଋଷିଆ ସହଯୋଗରେ ଭାରତ ନିର୍ମାଣ କରିଥିବା ବ୍ରହ୍ନୋସ କ୍ଷେପଣାସ୍ତ୍ରର ମଧ୍ୟ ରପ୍ତାନୀ କରୁଛି। ଗତ ୨୦୨୧ରେ ଭାରତ ଆକାଶ କ୍ଷେପଣାସ୍ତ୍ରକୁ ରପ୍ତାନୀ ମଞ୍ଜୁରି ମଧ୍ୟ ଦେଇଛି। ସେତେବେଳେ ଏହାକୁ କେବଳ ମିତ୍ର ଦେଶମାନଙ୍କୁ ରପ୍ତାନୀ କରାଯିବ ବୋଲି କୁହାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com