ଓଡ଼ିଶା

କେରଳରେ ପ୍ରାକ୍ ମୌସୁମୀ ବର୍ଷା, ଗରମ ଓ ଗୁଳଗୁଳିରୁ ଖୁବ୍ ଶୀଘ୍ର ମୁକୁଳିବ ଉତ୍ତର ଭାରତ

ତିରୁଅନନ୍ତପୁରମ: ଉତ୍ତର ଭାରତ ଏବେ ଟାଣ ଖରା ଓ ଗରମ ଗୁଳଗୁଳିରେ ଅତିଷ୍ଠ। ତେବେ କରେଳରୁ ଭଲ ସଂକେତ ଆସୁଛି। ଏଠାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ପାଣି ପାଗ ବିଭାଗ କେରଳର କେତେକ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ସତର୍କତା ଜାରି କରିଛନ୍ତି। ଏଥିରୁ ୨ ଜିଲ୍ଲା ଲାଗି ରେଡ ଆଲର୍ଟ ଜାରି ହୋଇଥିବା ବେଳେ ୬ ଜିଲ୍ଲାଙ୍କ ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ବର୍ଷା ଯୋଗୁ ପୋର୍ଟ ସିଟି କୋଚ୍ଚିରେ ପାଣି ଭରିଯିବାର ଅଭିଯୋଗ ହେଲାଣି। ଏଣୁ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଲୋକଙ୍କୁ ପାର୍ବତ୍ୟାଞ୍ଚଳ ଯିବା ବେଳେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି। ବର୍ଷାରେ ଅତଡା ଛିଡିବାର ଭୟ ଥିବାରୁ ଏ ବାବଦେ ଲୋକଙ୍କୁ ସତର୍କ କରାଯାଇଛି। ବର୍ଷା ଆରମ୍ଭ ହୋଇଯାଇଥିବାରୁ ସରକାର ପୋଲିସ ଓ ରେସ୍କ୍ୟୁ ଅଥରିଟିଙ୍କୁ ଆଲର୍ଟ କରିଛନ୍ତି।

କେରଳ ରାଜସ୍ୱମନ୍ତ୍ରୀ କେ. ରାଜନ ଆମେ କୌଣସି ପ୍ରକାରର ପରିସ୍ଥିତି ମୁକାବିଲା ଲାଗି ପ୍ରସ୍ତୁତ ବୋଲି କହିଛନ୍ତି। ରାଜ୍ୟର ସବୁ ଡ୍ୟାମରେ ଜଳସ୍ତର ଯେତିକି ରହିବା କଥା ଏବେ ସେତିକି ରହିଛି ଏଣୁ ଘାବରେଇବାର କୌଣସି ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଇଡୁକି ଓ ଏର୍ଣ୍ଣାକୁଲମରେ ରେଡ ଆଲର୍ଟ ଜାରି ରହିବ ବୋଲି କହିଛନ୍ତି। ଉଲ୍ଲେଖ ଯୋଗ୍ୟଯେ ରେଡ ଆଲର୍ଟ ସେହି ସବୁ ଅଞ୍ଚଳରେ ଜାରି ରହେ ଯେଉଁ ଅଞ୍ଚଳରେ ଅତିରୁ ଅତିବେଶି ବର୍ଷାର ସମ୍ଭାବନା ଥାଏ। ଉଭୟ ସ୍ଥାନରେ ୨୪ ଘଣ୍ଟାରେ ୬ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଚଳିତବର୍ଷ ସଅଳ ମୌସୁମୀ ଆସିବ। କେରଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ ୧ ବେଳକୁ ଆସିଥାଏ। ଓ ପରେ ଦେଶରେ ପ୍ରସରିବାରେ ଲାଗେ । ତେବେ ଚଳିତବର୍ଷ ନିୟମିତ ସମୟର ୪ ଦିନ ପୂର୍ବରୁ ଅର୍ଥାତ ମେ ୨୭ ତାରିଖ ବେଳକୁ ମୌସୁମୀ କେରଳ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ତେବେ ଏଥର ମୌସୁମୀ ଆଗମନ କାଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com