ଜାତୀୟରାଜନୀତି

ନିର୍ବାଚନ ବେଳେ ‘ମାଗଣା’ ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟ, କେନ୍ଦ୍ର ଓ ଇସିଙ୍କୁ ନୋଟିସ

ନୂଆଦିଲ୍ଲୀ() ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାୟ ସବୁ ରାଜନୀତିକ ଦଳ ମାଗଣା ଯୋଜନା ବିଷୟରେ ପ୍ରତିଶ୍ରୁତି ଦେଉଛନ୍ତି। ତେବେ ରାଜନୀତିକ ଦଳଗୁଡ଼ିକର ଏପରି ମାଗଣା ପ୍ରତିଶ୍ରୁତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥି ସହ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ୍ ମଧ୍ୟ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ଏହି ମାଗଣା ପ୍ରତିଶ୍ରୁତିକୁ କେମିତି ଆଇନଗତ ଉପାୟରେ ରୋକା ଯାଇପାରିବ, ସେକଥା ମୁଁ ଜାଣିବାକୁ ଚାହୁଁଛି। ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ବେଳେ ଏହାକୁ ରୋକା ଯାଇ ପାରିବ କି? ଆସନ୍ତା ନିର୍ବାଚନ ବେଳକୁ ଏହା ପ୍ରସ୍ତୁତ ହେବା ଦରକାର। ମଗଣା ପ୍ରତିଶ୍ରୁତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମଗଣା ପ୍ରତିଶ୍ରୁତିର ବଜେଟ ନିୟମିତ ବଜେଟକୁ ମଧ୍ୟ ପାର କରି ଯାଇଛି।”

ସର୍ବୋଚ୍ଚ ଅଦାଲକ ପୂର୍ବରୁ ନିର୍ବାଚନ କମିଶନଙ୍କୁ ଏହା ଉପରେ ରୋକ ଲଗାଇବା ପାଇଁ ଗାଇଡଲାଇନ ଜାରି କରିବାକୁ କହିଥିଲେ। ହେଲେ କମିଶନ ରାଜନୀତିକ ଦଳଗୁଡ଼ିକ ସହ ଗୋଟିଏ ମାତ୍ର ବୈଠକ କରିଛନ୍ତି।

ନିର୍ବାଚନ ପୂର୍ବରୁ ଲୋକଙ୍କ ଟଙ୍କାରେ ମଗଣାରେ ବିଭିନ୍ନ ପ୍ରକାରର ଜିନିଷ ବାଣ୍ଟୁଥିବା କିମ୍ବା ନିର୍ବାଚନ ପରେ ମଗଣା ଜିନିଷ ମିଳିବ ବୋଲି କହୁଥିବା ରାଜନୀତିକ ଦଳଗୁଡ଼ିକର ପଞ୍ଜୀକରଣ ଖାରଜ କରିବାକୁ ଦାବି କରି ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହାର ଶୁଣାଣି ବେଳେ ଆଜି ସୁପ୍ରିମକୋର୍ଟ ଏପରି କହିଛନ୍ତି। ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଓ ଇସିଙ୍କୁ ନୋଟିସ କରି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୪ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ।

ଆବେଦନକାରୀ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ମାଗଣା ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିସହ କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବାକୁ ଗାଇଡଲାଇନ ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି। ସେ ତାଙ୍କ ଆବେଦନରେ କହିଛନ୍ତି ଯେ “ବର୍ତ୍ତମାନ ରାଜନୀତିକ ଦଳଗୁଡ଼ିକ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନିର୍ବାଚନ ବେଳେ ମଗଣା ଯୋଜନା ସମ୍ପର୍କରେ ଘୋଷଣା କରୁଛନ୍ତି। ଏବେ ଏହା ଟ୍ରେଣ୍ଡରେ ପରିଣତ ହେଲାଣି।

ଏପରି ମଗଣା ପ୍ରତିଶ୍ରୁତି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ବିପଦ। ସେହିପରି ଏହା ସମ୍ବିଧାନର ଆତ୍ମାକୁ ମଧ୍ୟ ଆଘାତ ପହଞ୍ଚାଉଛି। କ୍ଷମତାକୁ ଆସିବାକୁ ବା ରହିବାକୁ ଖୋଲାଖୋଲି ଭାବେ ରାଜନୀତିକ ଦଳଗୁଡ଼ିକ ଭୋଟରଙ୍କ ପାଇଁ ଲାଞ୍ଚ ଘୋଷଣା କରୁଛନ୍ତି। ତେଣୁ ଗଣତାନ୍ତ୍ରିକ ନୀତିର ସୁରକ୍ଷା ପାଇଁ ଏପରି ମଗଣା ପ୍ରତିଶ୍ରୁତି ଉପରେ ରୋକ ଲାଗିବା ଦରକାର। ନିର୍ବାଚନ କମିଶନ ମଧ୍ୟ ତାଙ୍କ ଗାଇଡଲାଇନରେ ଏହା ବିରୋଧରେ ବ୍ୟବସ୍ଥା କରନ୍ତୁ।”

Related Articles

Back to top button
WP Twitter Auto Publish Powered By : XYZScripts.com