ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଭୟରେ ଏବେ ରାଜଧାନୀ ଦିଲ୍ଲୀବାସୀ ଗତ କେତେବର୍ଷ ହେଲା ଭଲରେ ଦୀପାବଳି ପାଳି ପାରୁନାହାନ୍ତି। ଉତ୍ସବ ପୂର୍ବରୁ ବାଣ ବିକ୍ରିରୁ ଆରମ୍ଭ କରି ଫୁଟାଇବା ପର୍ଯ୍ୟନ୍ତ ନାନା କଟକଣା ଜାରି ହେଉଛି। କେଉଁଠି କିଏ ଯଦି ଲୁଛି ଛପି ଫୋଟକା ଟିଏ ଫୁଟେଇଲା ଧରପଗଡ ହେଉଛି। ତେବେ ଦିଲ୍ଲୀ ବାୟୁ ପ୍ରଦୂଷଣର କାରଣ ଦୀପାବଳିର ବାଣ ନୁହେଁ ବୋଲି ପ୍ରଥମ ଥର ଆଇଆଇଟି ଦିଲ୍ଲୀ କହିଛନ୍ତି।
ଦୀପାବଳିର ପ୍ରଦୂଷଣ ମାତ୍ର ୧୨ ଘଣ୍ଟା ପର୍ଯ୍ୟନ୍ତ ଥାଏ। ତେବେ ପରେ ଦିନ ଦିନ ଧରି ବାୟୁ ପ୍ରଦୂଷଣର କାରଣ ଉପରୁ ପ୍ରଥମ ଥର ପର୍ଦା ହଟାଇଛନ୍ତି ଆଇଆଇଟି। ଏକ ଅଧ୍ୟୟନରେ ବାୟୋମାସ ବର୍ଣ୍ଣିଂ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ହ୍ରାସ ସହ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ଏବେ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଆଇଆଇଟିଙ୍କ ଏକ ଟିମ୍ ଦିଲ୍ଲୀ ବାୟୁପ୍ରଦୂଷଣ ନେଇ ଅଧ୍ୟୟନ କରୁଥିଲେ। ଏଥିରେ ଦୀପାବଳି ପୂର୍ବରୁ, ଦୀପାବଳି ଦିନ ଓ ପରେ ବ୍ୟାପୁଥିବା ପ୍ରଦୂଷଣର ଉତ୍ସ ସନ୍ଧାନ ନିମନ୍ତେ ଏହି ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନର ରିପୋର୍ଟ ଆଟମୋସଫେରିକ ପଲ୍ୟୁସନ ରିସର୍ଚ୍ଚ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି।
ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ଦୀପାବଳି ପରେ ଦିଲ୍ଲୀ ଆଖପାଖରେ ପୋଡା ହେଉଥିବା ବାୟୋମାସ ଯୋଗୁ ବାୟୁପ୍ରଦୂଷଣ ହେଉଛି। ତେବେ ଏଥିପାଇଁ ଦୀପାବଳିର ଆତଶବାଜୀଙ୍କୁ ଦାୟି କରାଯାଇ ନପାରେ ବୋଲି ଉଲ୍ଲେଖ ରହିଛି। ଦିଲ୍ଲୀରେ ସାଧାରଣତଃ ଦୀପାବଳି ପରେ କ୍ୟୁଆଇ ମାନ ବିପଦଜନକ ସ୍ଥିତିକୁ ପହଞ୍ଚିଥାଏ, ଯାହା ଏବେ ସାଧାରଣ ଘଟଣାରେ ପରିଣତ ହୋଇଛି। ଦୀପାବଳି ପରେ ଫସଲ ଅମଳ ଆରମ୍ଭ ହୋଇଥାଏ ଓ ଏହି ସମୟରେ ହିଁ ପାଳକୁଟା ଜଳା ଆରମ୍ଭ ହୋଇଥାଏ। ଉଭୟ ଘଟଣା ଏକ ସଙ୍ଗରେ ହୋଇଥାଏ। ଏଣୁ ଏଥିରୁ ବାୟୁପ୍ରଦୂଷଣର କାରଣ ଜାଣିବା କଷ୍ଟକର ହୋଇଥାଏ।
ଅଧ୍ୟୟନର ମୁଖ୍ୟ ଲେଖକ ଚିରାଗ ମନଚନ୍ଦାଙ୍କ ଅନୁସାରେ ଏହା ଦେଖାଯାଇଛି ଯେ ଆତଶବାଜୀ ଯୋଗୁ ବାୟୁରେ ବ୍ୟାପୁଥିବା ପ୍ରଦୂଷଣ ସ୍ତର ୧୨ ଘଣ୍ଟା ପର୍ଯ୍ୟନ୍ତ ରହୁଛି। ତେବେ ଦୀପାବଳି ପରେ ପାଳକୁଟା ପୋଡିବା ଯୋଗୁ ବାୟୁ ସବୁଠୁ ଅଧିକ ପ୍ରଦୂଷିତ ହେଉଛି। ଏହି ଅଧ୍ୟୟନରେ ସାମିଲ ଆଇଆଇଟି ଦିଲ୍ଲୀଙ୍କ ପ୍ରଫେସର ପାଳକୁଟା ପୋଡିବା ସାଙ୍ଗକୁ ଶୀତରେ ଉଷୁମ ଆବଶ୍ୟକତା ପାଇଁ ଲୋକେ ଉପଯୋଗ କରୁଥିବା ଉପାୟ ବାୟୋମାସ୍ ବର୍ଣ୍ଣିଂ ଗତିବିଧିକୁ ଅଧିକ ବଢାଉଛି ବୋଲି କହିଛନ୍ତି। ଏହି ଅଧ୍ୟୟନରେ ଦିଲ୍ଲୀ ଆଇଆଇଟିଙ୍କ ସହ କାନପୁର ଓ ପିଆରଏଲ ଅହମ୍ମଦାବାଦର ଗବେଷକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।
Back to top button