କୁଲଗାମ୍: ଆଜି ଜମ୍ମୁ କଶ୍ମୀରର କୁଲଗାମରେ ଜଣେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ବିବାଦୟ ବୟାନ ଦେଇଛନ୍ତି। ତାଙ୍କୁ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା ବିଷୟରେ ପଚରାଯିବା ପରେ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ ‘ସମସ୍ତେ ମରିବେ’। ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।
ତେବେ ମୃତ ଶିକ୍ଷୟିତ୍ରୀଙ୍କ ନାଁ ରଜନୀ ବାଲା ବୋଲି ଚିହ୍ନଟ କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୩୬ ବର୍ଷ ବୟସ ହୋଇଥିଲା। ରଜନୀ ହେଉଛନ୍ତି ଜମ୍ମୁସ୍ଥିତ ଶାମ୍ବାର ବାସିନ୍ଦା। ରଜନୀଙ୍କୁ ଆତଙ୍କବାଦୀମାନେ ସେ ଶିକ୍ଷକତା କରୁଥିବା ସ୍ଥାନ କୁଲଗାମର ଗୋପାଲପୋରା ଅଞ୍ଚଳରେ ଗୁଳି ମାରିଥିଲେ। ଗୁଳିମାଡ଼ ପରେ ସେ ଗୁରୁତର ହୋଇଯିବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଜଘନ୍ୟ କାଣ୍ଡ କେଉଁ ଆତଙ୍କବାଦୀ ଘଟାଇଛି ତାହା ଖୁବ୍ ଶୀଘ୍ର ଜଣାପଡ଼ିଯିବ ବୋଲି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି।।