ଜାତୀୟ

ଅନନ୍ତନାଗରେ ଏନକାଉଣ୍ଟର, ୧ ଆତଙ୍କୀ ନିହତ 

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଏନ୍‌କାଉଣ୍ଟର୍‌ରେ ହିଜ୍‌ବୁଲ୍ ମୁଜାହିଦୀନ୍ ସଙ୍ଗଠନର ‌ଜଣେ ତଥାକଥିତ କମାଣ୍ଡର୍ ନିହତ ହୋଇଛି । ଏଥିରେ  ୩ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସମସ୍ତ ଆହତଙ୍କୁ ତୁରନ୍ତ ବିମାନ ଯୋଗେ ଶ୍ରୀନଗରସ୍ଥିତ ୯୨ ବେସ୍ ହସ୍ପିଟାଲ୍‌କୁ ନିଆଯାଇଛି । ସେଠାରେ ସେମା‌ନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ପୁଲିସ, ସେନା ଓ ‘ସିଆର୍‌ପିଏଫ୍‌’ର ମିଳିତ ବାହିନୀ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ । କଶ୍ମୀରର ପୁଲିସ ଇନ୍‌ସ୍ପେକ୍ଟର୍ ଜେନେରାଲ୍ ବିଜୟ କୁମାର ଟୁଇଟ୍ କରି – ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୁଲ୍ ମୁଜାହିଦୀନ୍‌ର ଆତଙ୍କବାଦୀ କମାଣ୍ଡର୍ ନିସାର୍ ଖଣ୍ଡେ ନିହତ ହୋଇଛି ବୋଲି ସୂଚନା ଦେଇଛନ୍ତି । ଏହି ସର୍ଚ୍ଚ ଅପରେସନରେ ଗୋଟିଏ ଏକେ ୪୭ ରାଇଫଲ୍ ସମେତ ବହୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି। ଜମ୍ମୁ ଓ କଶ୍ମୀରରେ ‘ଟାର୍ଗେଟେଡ୍ କିଲିଙ୍ଗ୍‌’ ବୃଦ୍ଧି ପାଉଥିବା ବେଳେ ଶ୍ରୀନଗରେ ନିଯୁକ୍ତି ପାଇଥିବା ୧୭୭ଜଣ କଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ନିରାପଦ ସ୍ଥାନକୁ ବଦଳି କରିବା ଲାଗି ସରକାର ଆଦେଶ ଦେଇଛନ୍ତି। କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟ ଏବଂ ପ୍ରବାସୀ ଶ୍ରମଜୀବୀମାନଙ୍କ ଉପରେ କ୍ରମାଗତ ଆକ୍ରମଣ କରାଯିବା ପରେ ଜମ୍ମୁ ଓ କଶ୍ମୀରର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବା ଲାଗି ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com