ଜାତୀୟ

ଥମୁନି ବିବାଦ: ନୂପୁର ଶର୍ମାଙ୍କ ଗିରଫ ଦାବିରେ ଦିଲ୍ଲୀ ଓ କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ନିଜ ଦେଶରେ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ବିବାଦ ହେବା ପରେ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା। ମଧ୍ୟପ୍ରାଚ୍ୟ ରାଷ୍ଟ୍ରମାନେ ମଧ୍ୟ ଏହାକୁ ସ୍ୱାଗତ କଲେ ଓ କଥାକୁ ପୂର୍ଣ୍ଣଚ୍ଛେଦ ପକାଇଲେ। ହେଲେ ଆମ ଦେଶରେ କିନ୍ତୁ ବିକ୍ଷୋଭ ଜାରି ରହିଛି।

କୋଲକାତା ଓ ଦିଲ୍ଲୀରେ ଏହାକୁ ନେଇ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ପ୍ରାର୍ଥନା ପରେ ଦିଲ୍ଲୀର ଜାମା ମସ୍‌ଜିଦ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ନୂପୁରଙ୍କ ଗିରଫ କରିବା ଲାଗି ଦାବି ହୋଇଛି। ତେବେ ମସ୍‌ଜିଦ୍ ପକ୍ଷରୁ କୌଣସି ବିକ୍ଷୋଭ ପ୍ରଦର୍ଶନ ଡକାଯାଇ ନାହିଁ ବୋଲି ମସ୍‌ଜିଦର ଶାହୀ ଇମାମ କହିଛନ୍ତି।

ସେ କହିଛନ୍ତି “ଆମେ ଜାଣି ନାହୁଁ ଯେ କେଉଁମାନେ ବିକ୍ଷୋଭ କରୁଛନ୍ତି। ବୋଧହୁଏ ସେମାନେ AIMIM ଓ ଓୱେସୀଙ୍କ ଲୋକ ହୋଇଥିବେ। ଆମେ ଏ କଥା ସ୍ପଷ୍ଟ କହିଛୁ ଯେ ଯଦି ସେମାନେ ବିକ୍ଷୋଭ କରିବାକୁ ଚାହିଁବେ ତେବେ ସେମାନେ କରିପାରିବେ। କିନ୍ତୁ ଆମେ ସେମାନଙ୍କୁ ସମର୍ଥନ ଦେବୁ ନାହିଁ।”

ଘଟଣା ସମ୍ପର୍କରେ ସୂଚନା ଦେଇ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଡିସିପି ଶ୍ୱେତା ଚୌହ୍ୱାନ କହିଛନ୍ତି “ ଶୁକ୍ରବାର ପ୍ରାର୍ଥନା ପାଇଁ ପାଖାପାଖି ୧୫୦୦ ଲୋକ ଜାମିଆ ମସଜିଦ ନିକଟରେ ଏକତ୍ରିତ ହୋଇଥିଲେ। ପ୍ରାର୍ଥନା ସରିବା ପରେ  ୩୦୦ ଲୋକ ଆସି ନୂପୁର ଶର୍ମାଓ ଜିନ୍ଦଲଙ୍କ ବିରୋଧରେ ବିକ୍ଷୋଭ କରିଥିଲେ। ” ସେହିପରି କୋଲକାତାରେ ମଧ୍ୟ ନମାଜ ପାଠ ପରେ ପାଖାପାଖି ଶହ ଶହ ଲୋକ ପୋଷ୍ଟର ବ୍ୟାନର ଧରି ନୂପୁର ଶର୍ମାଙ୍କ ଗିରଫ ଦାବି କରିଥିଲେ।

ଅନ୍ୟପଟେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେଠାରେ ମୁରାଦାବାଦରେ ଲୋକମାନେ ଟେକାପଥର ମାଡ଼ କରିଛନ୍ତି। ମାମଲାରେ ପୁଲିସ ଲାଠି ଚାର୍ଜ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com