ଓଡ଼ିଶା

ସାମ୍ନାକୁ ଆସିଲା ଆନ୍ଧ୍ରର ନୂଆ ଚାଲ୍, ପାରଳାଖେମୁଣ୍ଡିରେ ଶସ୍ତାରେ ବିକ୍ରି ହେଉଛି କ୍ଷୀର

ଗଜପତି: ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡିରେ ଏବେ ଆନ୍ଧ୍ର ସରକାରୀ ଡାଏରୀରୁ ଉତ୍ପାଦିତ କ୍ଷୀର ପ୍ୟାକେଟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶା ସୀମାରେ ଅନୁପ୍ରବେଶ ପାଇଁ ଆନ୍ଧ୍ରପ୍ରଦେଶ ବରାବର ପ୍ରୟାସ ଜାରି ରଖିଥିବା ବେଳେ ଏବେ କ୍ଷୀର ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଥବା ଅଭିଯୋଗ ହୋଇଛି ।

ଏହି କ୍ଷୀର ପ୍ୟାକେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ୱାଇ.ଏସ୍‌.ଜଗନମୋହନ ରେଡ୍ଡୀଙ୍କ ଫଟୋ ରହିଥିବାରୁ ଅଣ-ଓଡ଼ିଆ ତଥା ତେଲୁଗୁ ଭାଷାଭାଷୀଙ୍କ ଏହା ପ୍ରଥମ ପସନ୍ଦ ହୋଇଛି । କ୍ଷୀର, ଦହି, ଛେନା ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ ବିକ୍ରେତାଙ୍କ ମଧ୍ୟରେ ବି ଏହା ଅଧିକ ପସନ୍ଦ ହେଉଛି । ପରୋକ୍ଷରେ ଓଡ଼ିଶାର ଦୁଗ୍ଧ ଚାଷୀ ଏଥିରେ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି ।

ଆନ୍ଧ୍ର ସରକାର ଗର୍ଭବତୀ ସ୍ତ୍ରୀ ଓ ଶିଶୁଙ୍କୁ ପ୍ରତି ମାସରେ ୧୧ ଲିଟର କ୍ଷୀର ପ୍ରଦାନ କରିଥାନ୍ତି । ଆନ୍ଧ୍ର ସରକାର ନିଜ ରାଜ୍ୟର ଲୋକଙ୍କୁ ମାଗଣାରେ ବାଣ୍ଟୁଥିବା ଏହି କ୍ଷୀର ପାରଳାଖେମୁଣ୍ଡି ବଜାରରେ କିଭଳି ମିଳୁଛି ତାହା ପ୍ରଶ୍ନବାଚୀ ହୋଇଛି । ଏହି କ୍ଷୀର ଶସ୍ତାରେ ମିଳୁଥିବାରୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଆନ୍ଧ୍ର କ୍ଷୀର ପ୍ୟାକେଟ୍‌ ବ୍ୟବହାର ଓ ବିକ୍ରି କରୁଛନ୍ତି । ହେଲେ ଏହାଦ୍ୱାରା ସ୍ଥାନୀୟ ଓଡ଼ିଆ ଦୁଗ୍ଧ ଚାଷୀ ପ୍ରଭାବିତ ହେବା ଆଶଙ୍କା ରହିଛି ।

କେହି ଦଲାଲ ଏହାକୁ ଆଣି ବିକ୍ରି କରୁଛି ନା ଆନ୍ଧ୍ର ସରକାର ଓଡ଼ିଶାବାସୀଙ୍କ ମଧ୍ୟରେ ଭିନ୍ନ ଭାବନା ସୃଷ୍ଟି ପାଇଁ ଜାଣିଶୁଣି ସୀମାନ୍ତ ପାରଳାଖେମୁଣ୍ଡି ବଜାରରେ ଏହାକୁ ପ୍ରବେଶ କରାଇଛନ୍ତି ତାହାର ତଦନ୍ତ ହେବା ଆବଶ୍ୟକ । ଏନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି, ମୋ ନିକଟରେ ଏ ବାବଦରେ କୌଣସି ଅଭିଯୋଗ ନାହିଁ । ତେଣୁ ମୁଁ ଜାଣିନାହିଁ । କିନ୍ତୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com