୩୬ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କ ଆକାଉଣ୍ଟ ବ୍ୟାନ୍ କଲା ହ୍ବାଟ୍ସଆପ୍

ନୂଆଦିଲ୍ଲୀ, ୦୨/୦୨/୨୦୨୩ – ଡିସେମ୍ବର ୧ରୁ ଡିସେମ୍ବର ୩୧ ମଧ୍ୟରେ ୩୬ ଲକ୍ଷ ୭୭ ହଜାର ହ୍ବାଟ୍ସଆପ୍ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଡିସେମ୍ବର ୨୦୨୨ ମସିହାରେ ଭାରତରେ ୩୬ ଲକ୍ଷରୁ ଅଧିକ ଆପତ୍ତିଜନକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହ୍ବାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ ମିଡିଆର ଦିନକୁ ଦିନ ଦାୟିତ୍ବ ବଢୁଛି । ସେଥିପାଇଁ ଆପତ୍ତିଜନକ ଆକାଉଣ୍ଟଙ୍କୁ ବ୍ୟାନ କରାଯାଇଛି ।
ଏଥିମଧ୍ୟରୁ ଉପଭୋକ୍ତାଙ୍କ ୧,୩୮୯,୦୦୦ ଆକାଉଣ୍ଟଙ୍କୁ ସିଧାସଳଖ ନିଷିଦ୍ଧ କରାଯଇଛି । ଦେଶରେ ୪୦୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି । ଏହା ମଧ୍ୟରୁ ଡିସେମ୍ବରରେ ଦେଶରେ ୧, ୬୭୦ ଅଭିଯୋଗ ରିପୋର୍ଟ ଗ୍ରହଣ କରିଛି । ଏଥିମଧ୍ୟରୁ କମ୍ପାନୀ ପକ୍ଷରୁ ୧୬୪ଟି ଆକାଉଣ୍ଟ ଉପରେ ଆକ୍ସନ ନିଆ ଯାଇଥିଲା।
IT ନିୟମ ୨୦୨୧ ଅନୁଯାୟୀ, ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଡିଜିଟାଲ ପ୍ଲାଟଫର୍ମଗୁଡିକ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରଦାନ କରିବା ଆବଶ୍ୟକ । କମ୍ପାନୀଗୁଡିକ କେତେ ଅଭିଯୋଗ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ଉପରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ସୂଚନା ଦେବାକୁ ପଡିବ । ହ୍ବାଟ୍ସଆପ୍ ମଧ୍ୟ ଏହି ନିୟମ ଅନୁଯାୟୀ ମାସିକ ଉପଭୋକ୍ତା ସୁରକ୍ଷା ରିପୋର୍ଟ ପ୍ରକାଶ କରିଛି ।
ତେବେ ହ୍ବାଟ୍ସଆପରେ ଭୁଲରେ କେବେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ ; ନଚେତ ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଉପରେ ଲାଗିପାରେ ପ୍ରତିବନ୍ଧକ ।
୧ ) ମିଥ୍ୟା ବାର୍ତ୍ତା କିମ୍ବା ମିଥ୍ୟା ଗୁଜବ ପଠାଇବାରୁ ଦୂରେଇ ରୁହନ୍ତୁ ।
୨ ) ଅଶ୍ଳୀଳ କଣ୍ଟେଣ୍ଟ ସେଣ୍ଡ କଲେ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରାଯିବ ।
୩) ଘୃଣା ବାର୍ତ୍ତା କାହାକୁ ସେଣ୍ଡ ବା ଫରୱାଡ କରନ୍ତୁ ନାହିଁ ।
୪) ଲୋକଙ୍କୁ ଠକିବା ପାଇଁ ହ୍ବାଟ୍ସଆପ୍ ବ୍ୟବହାର କରାଯିବା ଉଚିତ୍ ନୁହେଁ ନଚେତ ଆକାଉଣ୍ଟ ବ୍ୟାନ ହୋଇପାରେ ।
୫) ହ୍ବାଟ୍ସଆପରେ ନୂଆ ସଦସ୍ୟ ଯୋଡିବାବେଳେ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ, ଅଜ୍ଞାତ ଲୋକଙ୍କୁ ମେସେଜ ପଠାନ୍ତୁ ନାହିଁ ।