ଓଡ଼ିଶା

ରାଜଧାନୀରେ ଚାଞ୍ଚଲ୍ୟ: ରୋଗିଣା ମା’କୁ ମାରି ପୋଡ଼ିଦେଲା ପୁଅ

ଭୁବନେଶ୍ବର() ଚଳିତ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ। ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ରାଜଧାନୀ ଛାତି ଥରାଇ ଦେଇଛି। ଘରର ଗେହ୍ଲାପୁଅ ହିଁ ପକ୍ଷାଘାତରେ ପୀଡ଼ିତା ମା’କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି। ବଡ଼ଗଡ଼ ଶ୍ମଶାନ ନିକଟ କଳିଙ୍ଗ ବସ୍ତିରେ ଘଟିଛି ଏହି ଦୁଃଖଦ ତଥା ହୃଦୟବିଦାରକ କାଣ୍ଡ। ମା’କୁ ହତ୍ୟା କରିବା ପରେ ପୁଅ ମୃତଦେହକୁ ଲୁଗାରେ ଗୁଡ଼ାଇ ସେହି ଘରେ ହିଁ ପୋଡ଼ି ପକାଇଛି। କିନ୍ତୁ ମୃତଦେହ ପୂରା ପୋଡ଼ିଯିବା ପୂର୍ବରୁ କଥା ପ୍ରଘଟ ହୋଇଗଲା ଓ ପୁଲିସ ଘଟଣାସ୍ଥଳ‌ରୁ ଅର୍ଦ୍ଧଦଗ୍‌ଧ ଶବକୁ ଜବତ କରିଛି। ଘଟଣାସ୍ଥଳ‌ରୁ ଫେରାର୍ ହୋଇନଥିବା ପୁଅକୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ରେଡିଓକୁ ଜବତ କରିଛି। ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ବିଷ୍ଣୁଚରଣ ଜେନାଙ୍କ ସ୍ତ୍ରୀ ରଶ୍ମିତା ଜେନା ଓ ଅଭିଯୁକ୍ତ ପୁଅ ହେଉଛି ପ୍ରଶାନ୍ତ ।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ହଠାତ୍ ବିଷ୍ଣୁଙ୍କ ଘର ଭିତରୁ ପ୍ରବଳ ଧୂଆଁ ବାହାରିବା ଦେଖାଯାଇଥିଲା। ଏଥିସହିତ ଶବ ପୋଡ଼ା ଗନ୍ଧରେ ବସ୍ତି ଫାଟିପଡ଼ିଥିଲା। ତେଣୁ ବିଷ୍ଣୁଙ୍କ ଘରେ ନିଆଁ ଲାଗିଥିବା ଓ କେହି ପୋଡ଼ି ଯାଉଥିବା ସନ୍ଦେହ କରି ବସ୍ତିବାସିନ୍ଦାମାନେ ସେଠାକୁ ଛୁଟି ଆସିଥିଲେ। ଲୋକମାନେ ଉକ୍ତ ଘର ପାଖରେ ପହଞ୍ଚିବା ବେଳକୁ ବଡ଼ପୁଅ ପ୍ରଶାନ୍ତ ଦାଣ୍ଡ ଦୁଆର ମୁକ ଭଳି ଠିଆ ହୋଇଥିଲା। ଲୋକେ ଯାହା ପଚାରିଲେ ବି ସେ କିଛି କହିନଥିଲା। ଘର ଭିତରୁ ଶବ ପୋଡ଼ା ଗନ୍ଧ ବାହାରୁଥିବାରୁ ଲୋକେ ବି ଭୟରେ ଭିତରକୁ ପଶିନଥିଲେ। ଖବର ପାଇ ନିକଟସ୍ଥ ବଜାରରେ ଥିବା ବିଷ୍ଣୁ ଧାଇଁ ଆସିଥିଲେ। ବିଷ୍ଣୁଙ୍କ ସହ କିଛି ଲୋକ ଘର ଭିତରକୁ ପଶିବା ପରେ ରଶ୍ମିତାଙ୍କ ଶବ ଜଳୁଥିବା ଦେଖିଥିଲେ। ସେତେବେଳକୁ ଶବ ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ତୁରନ୍ତ ସେମାନେ ପାଣି ପକାଇ ନିଆଁ ଲିଭାଇଥିଲେ। ମା’ କେମିତି ପୋଡ଼ି ହେଲା ବୋଲି ପଚାରିବାରୁ ପ୍ରଶାନ୍ତ ସବୁ ସତ ମାନିଯାଇଥିଲା। ଖାଇବାକୁ ନଦେବାରୁ ସେ ନିଜେ ମା’ ମୁଣ୍ଡକୁ ରେଡିଓରେ ପିଟିପିଟି ମାରିଦେଇଛି ବୋଲି କହିଥିଲା। ମା’ ମରିଯିବା ପରେ ଘରୁ ଲୁଗାପଟା ଓ ଅଖା ଆଣି ସେ ଶବକୁ ଗୁଡ଼ାଇ ପୋଡ଼ି ଦେଲା ବୋଲି ନିର୍ବିକାର ଭାବେ କହିଥିଲା। ସେତେବେଳକୁ ବଡ଼ଗଡ଼ ଥାନା ସେଠାରେ ପହଞ୍ଚି ସାରିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ଓ ପ୍ରଶାନ୍ତର ସୂଚନାନୁସାରେ ଭଙ୍ଗା ରେଡିଓକୁ ଜବତ କରିଥିଲା। ଆଜି ଉକ୍ତ ଘରକୁ ପୁଲିସ ସିଲ୍‌ କରିଛି। ଆସନ୍ତାକାଲି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଣି ଘର ଯାଞ୍ଚ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com