ଆଣ୍ଟିଗୁଆ: ନର୍ଥସାଉଣ୍ଡ୍ ସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍ରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ଘରୋଇ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ରେ ଜିତିନେଇଛି। ଏହି ମ୍ୟାଚ୍ ଚତୁର୍ଥ ଦିବସର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଶେଷ ହୋଇଛି। ଘରୋଇ ଦଳ ସମ୍ମୁଖରେ ୮୪ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା ବେଳେ ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୩ ୱିକେଟ୍ ବିନିମୟରେ ୪୯ ରନ୍ କରି ବିଜୟ ଦ୍ବାରରେ ପହଞ୍ଚି ଯାଇଥିଲା। ରବିବାର ଚତୁର୍ଥ ଦିବସରେ ଆଉ ମାତ୍ର ୭ ଓଭର ଖେଳି ୱେଷ୍ଟ୍ଇଣ୍ଡିଜ୍ ୩୯ ରନ୍ ଯୋଡ଼ିଥିଲା। ଖଲିଦ ଅହମ୍ମଦଙ୍କ ଚମତ୍କାର ବୋଲିଂ ଯୋଗୁଁ ଏକ ସମୟରେ ୯ ରନ୍ରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଯାଇଥିବା ୱେଷ୍ଟ୍ଇଣ୍ଡିଜ୍ ପକ୍ଷରୁ ଓପ୍ନର ଜନ୍ କାମ୍ପବେଲ୍ (୫୮*) ଏବଂ ଜର୍ମିନ୍ ବ୍ଲାକ୍ଉଡ୍ (୨୬*) ଅବିଭାଜିତ ଚତୁର୍ଥ ୱିକେଟ୍ରେ ୭୯ ରନ୍ ଯୋଡ଼ିବାରୁ ଦଳ ୨୨ ଓଭରରେ ୮୮/୩ କରିନେଇଥିଲା। ସାଣ୍ଟୋଙ୍କ ଛକା ମାରି କାମ୍ପବେଲ୍ ଦଳର ବିଜୟ ମୁଣ୍ଡି ମାରିଥିଲେ। ପ୍ରଥମ ପାଳିରେ ୨ ଏବଂ ଦ୍ବିତୀୟ ପାଳିରେ ୫ ୱିକେଟ୍ ଅକ୍ତିଆର କରିଥିବା ଦ୍ରୁତ ବୋଲର କେମାର ରୋଚ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ୧-୦ର ଅଗ୍ରଣୀ ପାଇଛି। ବାଂଲାଦେଶ ପ୍ରଥମ ପାଳିରେ ୧୦୩ ଏବଂ ଦ୍ବିତୀୟ ପାଳିରେ ୨୪୫ ରନ୍ କରିଥିଲା ବେଳେ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୨୬୫ ରନ୍ କରିଥିଲା।
Back to top button