ଓଡ଼ିଶା

ଗାଡି ଧକ୍କାରେ ଆଉ ହାତୀଙ୍କ ଜୀବନହାନି ହେବନି

ଗାଡି ଧକ୍କାରେ ଆଉ ହାତୀଙ୍କ ଜୀବନହାନି ହେବନି । ବିନା ଦ୍ୱିଧାରେ ଜାତୀୟ ରାଜପଥ ପାରିହେବେ ହାତୀପଲ । ଆସିଲା ନୂଆ ପାଇଲଟ ପ୍ରୋଜେକ୍ଟ । ହାତୀପଲ ରାସ୍ତା ପାର ହେଉଥିବା ବେଳେ ଘାଇଁ ଘାଇଁ ବାଜିବ ସାଇରନ, ଜଳିବ ନାଲିବତୀ । ଏପରିକି ଅଧିକାରୀଙ୍କ ମୋବାଇଲକୁ ଏସଏମଏସ ମଧ୍ୟ ଯିବ ।ଜାତୀୟ ରାଜପଥରେ ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ  ଆରମ୍ଭ ହୋଇଛି ନୁଆ ପାଇଲଟ ପ୍ରୋଜେକ୍ଟ ଅଟୋମେଟିକ ସାଇରନ ମେସିନ । ରାଜ୍ୟରେ ପ୍ରଥମ କରି ପରୀକ୍ଷାମୁଳକ ଭାବେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଏହାକୁ ଢେଙ୍କାନାଳ ଜିଲ୍ଲାର ସଦର ରେଞ୍ଜ ଅନ୍ତର୍ଗତ ମେରାମଣ୍ଡଳୀ ସେକସନର ହାତୀ ପ୍ରବଣ ସ୍ଥାନ ରସାସିଂହ ଓ ହଳଦିଆବାହାଳ ନିକଟରେ ଲଗାଯାଇଛି। ଜାତୀୟ ରାଜପଥ ୫୫ ନିକଟରେ ଲଗାଯାଇଛି ଏହି ସାଇରନ ମେସିନ । ଏଥିରେ ରହିଛି ସେନସର, ସାଇରନ, ରେଡ ଲାଇଟ ଓ ଚାର୍ଜିଂ ପାଇଁ ସୋଲାର ପ୍ଲେଟ । ହାତୀ ପଲ ଯେତେବେଳେ ରାସ୍ତା ପାର ହେବେ ଏହି ସ୍ୱୟଂଚାଳିତ ଯନ୍ତ୍ରରେ ରେଡ ଲାଇଟ ଜଳିବା ସହ ଘାଇଁ ଘାଇଁ ହୋଇ ସାଇରନ ମଧ୍ୟ ବାଜିବ । ଏହା ଏକ କିଲୋମିଟର ବ୍ୟାପି ଶୁଭିବା ସହିତ ତୁରନ୍ତ ଏକ ଏସଏମଏସ ଅଧିକାରୀଙ୍କ ନିକଟକୁ ମଧ୍ୟ ପଳାଇବ । ଫଳରେ ସେହି ସମୟରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡିଚଳକ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଅଟକି ରହିବେ । ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସତର୍କ ରହିବେ । ଫଳରେ କେବଳ ହାତୀପଲ ସୁରକ୍ଷିତ ରାସ୍ତା ପାର ହେବେ । କେବଳ ଏତିକି ନୁହଁ ବରଂ ସାଧାରଣ ଲୋକ ମଧ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇ ପାରିବେ । ଏହା ଦ୍ୱାରା ହାତୀ ଉପଦ୍ରବ୍ୟ କମିବ ଓ ହାତୀ-ମଣିଷ ଲଢେଇରେ ଏକ ପ୍ରକାର ପୁର୍ଣ୍ଣଛେଦ ମଧ୍ୟ ପଡିପାରେ । ଏହି ପ୍ରୋଜେକ୍ଟକୁ ସ୍ୱାଗତ କରିଛନ୍ତି ଅଞ୍ଚଳ ବାସୀ ଓ ପରିବେଶବିତ୍। ରାଜ୍ୟରେ ପ୍ରଥମ କରି ଏହି ପାଇଲଟ ପ୍ରୋଜେକ୍ଟ ଲାଗୁ କରାଯାଇଛି । ତେବେ ପ୍ରୋଜେକ୍ଟ ଯଦି ସଫଳ ଭାବେ କାର୍ଯକ୍ଷମ ହୁଏ ତେବେ ଆଗକୁ ଜିଲ୍ଲାରେ ଏହା ଅଧିକ ମାତ୍ରାରେ ଖଞ୍ଜା ଯିବ ବୋଲି କହିଛନ୍ତି ଡିଏଫଓ । ବିଶେଷ କରି ୫୫ ନମ୍ବର ନମ୍ବର ଜାତୀୟ ରାଜପଥର ଯେଉଁ ଯେଉଁ ସ୍ଥାନ ରେ ହାତୀ ରାସ୍ତା ପାର ହେଉଛନ୍ତି, ସେହି ସବୁ ସ୍ଥାନ ମାନଙ୍କରେ ସାଇରନ୍‌ ମେସିନ୍ ଖଞ୍ଜାଯିବ । ଏହି ପ୍ରୋଜେକ୍ଟକୁ “ପରିବର୍ତ୍ତନ” ନାମକ ଏକ ଏନଜିଓ ସଂସ୍ଥା ଓ ବନବିଭାଗର ମିଳିତ ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି। ପୂର୍ବରୁ ଏହି ପ୍ରୋଜେକ୍ଟ ଅନ୍ୟ ରାଜ୍ୟ ମାନଙ୍କରେ ଆରମ୍ଭ କରାଯାଇଥିବା ବେଳେ ସଫଳତା ମିଳିଥିବା କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com