ଓଡ଼ିଶା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୨ : ଶେଷ ପର୍ଯ୍ୟାୟରେ ନିର୍ମାଣ କାମ

ପୁରୀ : ଆଉ ମାତ୍ର ୪ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ ତିଆରି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଶ୍ଵକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ଆଜି ୩ ରଥରେ କଳସ ସହ ଓଲଟଶୁଆ ସ୍ଥାପନ କରିଛନ୍ତି। ରଥ ଉପରେ ବିଶ୍ଵକର୍ମାମାନେ ସିଂହାସନ କାମ ଜାରି ରଖିଥିବା ବେଳେ ଏଥିରେ ପଟ୍ଟା ବାଡ଼ିଆ ଯାଇ ବୁଜା ଯାଉଛି। ସେହିପରି ରୂପକାରମାନେ ପ୍ରଭାରେ କିର୍ତ୍ତିମୁଖ ଓ ଉଭୟ ପାଖରେ ମଗରମୁଣ୍ଡ କରୁଛନ୍ତି। ଏପଟେ ବିଶ୍ଵନିୟନ୍ତାଙ୍କ ରଥ ନିର୍ମାଣ କରୁଥିବା ସମସ୍ତ ନିର୍ମାଣକାରୀଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ଜୁଲାଇ ୧ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିର ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ୩ ରଥର ତିଆରି କାମ ପ୍ରାୟତଃ ଶେଷ ହୋଇଛି। ରଥର ଦୁଆରଘଡ଼ାକୁ ମଜବୁତ୍ କରିବା ପାଇଁ ଧ୍ବଜାବତା ଲଗାଯାଇଛି। ଏଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ସ୍ଥାପନ ହେବ। ଏହାସହ ରଥରେ ମଣ୍ଡଣୀ ବତା ମଧ୍ୟ ଲଗାଯାଇଛି। ଆଜି ମୁଖ୍ୟ ବିଶ୍ଵକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ରଥର‌ ଶୀର୍ଷ ଭାଗରେ କଳସ ସହ ଓଲଟଶୁଆ ସ୍ଥାପନ କରିଛନ୍ତି।‌ ରୂପକାରମାନେ ପ୍ରଭାରେ କିର୍ତ୍ତିମୁଖ ଓ ଉଭୟ ପାଖରେ ମଗରମୁଣ୍ଡ କରୁଥିବା ବେଳେ ଏହି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ଦର୍ଜୀ ସେବକମାନେ ରଥ କନାମଣ୍ଡଣି କାର୍ଯ୍ୟ ଆଗେଇ ନେଉଛନ୍ତି। ସେପଟେ ବିଶ୍ଵନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସମ୍ମାନିତ କରାଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ସଦସ୍ୟମାନେ ରଥଖଳାକୁ ଯାଇ ୩ ରଥର ମୁଖ୍ୟ ବିଶ୍ଵକର୍ମା, ସହଯୋଗୀ ମହାରଣା, ରୂପକାର, ଚିତ୍ରକର, କରତି, କମାର, ଦର୍ଜୀ ସେବକମାନଙ୍କ‌ ପାଦ ଧୋଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମହାପ୍ରଭୁଙ୍କ ପ୍ରତି ସମର୍ପଣ ମନୋଭାବ ନେଇ ସମସ୍ତ ନିର୍ମାଣକାରୀମାନେ ପ୍ରତିବର୍ଷ ଅତି ନିଷ୍ଠାର ସହ ବିଶ୍ବର ସବୁଠାରୁ ବଡ଼ ରଥ ତିିଆରି କରୁଛନ୍ତି। ମାତ୍ର ୨୦ ଇଞ୍ଚର ଏକ ମାପକାଠି ସାହାଯ୍ୟରେ ଯୁଗ ଯୁଗ ଧରି ମହାରଣା ସେବକମାନେ ମାପ ବନାଇ ଏତେ ବଡ଼ ରଥ ତିଆରି କରୁଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ୩ ରଥର ତିଆରି କାମ ଆରମ୍ଭ ହୋଇଥିବା ବେଳେ ଆଜି ଏହା ୫୫ ଦିନରେ ପହଞ୍ଚିଛି। ସମୁଦାୟ ୧୯୯ ଜଣ ନିର୍ମାଣକାରୀ ରଥ ତିଆରି କାମରେ ଯୋଗ ଦେଇଥିବା ବେଳେ ଆଉ ୨ ଦିନ ମଧ୍ୟରେ ସମସ୍ତ କମ ସରିଯିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com