ଓଡ଼ିଶା

ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ସହିବାକୁ ପଡ଼ିଛି ରାଗିଂ

ଭୁବନେଶ୍ୱର: ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କ ସହ ହୋଇଥିଲା ରାଗିଂ। ଭୁବନେଶ୍ୱର ସ୍ପୋଟସ୍ ହଷ୍ଟେଲ୍‌ରେ ତାଙ୍କ ସହ ରାଗିଂ କରାଯାଇଥିଲା। ୨୦୦୬ରୁ ୨୦୦୮ ମସିହା ଯାଏଁ  କ୍ୟାରିୟର ଆରମ୍ଭ କରୁଥିବା ବେଳେ ଦୂତୀ ସ୍ପୋଟସ୍ ହଷ୍ଟେଲ୍‌ରେ ରହୁଥିଲେ। ଏହି ସମୟରେ ତାଙ୍କୁ ରାଗିଂ କରିଥିଲେ ସିନିୟର ଖେଳାଳି। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ରାଗିଂଜନିତ ସୁଇସାଇଡ୍‌କୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଦୂତୀଙ୍କ ମନ୍ତବ୍ୟ ଅଲୋଚନାକୁ ବଳ ଦେଇଛି। ଶିକ୍ଷାନୁଷ୍ଠାନ ଓ ତାଲିମ ଦିଆଯାଇଥିବା ଅନୁଷ୍ଠାନରେ ଏବେ ବି ରାଗିଂ ଚାଲିଥିବା ଏହା ସ୍ପଷ୍ଟ କରିଛି।

ଦୂତୀ ଏନେଇ କରିଥିବା ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ରାଗିଂର ଶିକାର ହୋଇଥିବା କହିଛନ୍ତି। ସେ ଲେଖିଛନ୍ତି, ହଷ୍ଟେଲ୍‌ରେ ସିନିୟରଙ୍କ ବଡି ମସାଜ୍ କରିବା, କପଡ଼ା ଧୋଇବା ଭଳି କାମ ସେ କରିଛନ୍ତି। ସିନିୟରଙ୍କ କଥା ନ ଶୁଣିଲେ ଅଧିକ ନିର୍ଯାତନା ସହିବାକୁ ପଡ଼ୁଥିଲା। ପରିବାରର ଅବସ୍ଥା, ଆର୍ଥିକ ସ୍ଥିତିକୁ ନେଇ ବି କମେଣ୍ଟ ମାରୁଥିଲେ ସିନିୟର ଖେଳାଳି।

ଏ ସମ୍ପର୍କରେ ଅଭିଯୋଗ କରିବା ପରେ ବି କେହି ଶୁଣିନଥିଲେ। ହଷ୍ଟେଲ୍ ଇନଚାର୍ଜକୁ ଜଣାଇବା ପରେ ବି ସେ ଏହାକୁ ହାଲ୍‌କାରେ ନେଉଥିଲେ। ଏହାକୁ ଚୁପଚାପ ସହିବାକୁ କହୁଥିଲେ। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସିଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି।

ତେବେ ଦୂତୀଙ୍କୁ କେଉଁମାନେ ରାଗିଂ କରୁଥିଲେ ସେମାନଙ୍କ ନାମକୁ ସେ ଏଠାରେ ପ୍ରକାଶ କରିନାହାନ୍ତି। ସେପଟେ ଦୂତୀଙ୍କ ଅଭିଯୋଗ ନେଇ ଭୁବନେଶ୍ୱର ସ୍ପୋଟସ୍ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Related Articles

Back to top button
WP Twitter Auto Publish Powered By : XYZScripts.com