ଓଡ଼ିଶା

ନ୍ୟାୟ ଦାବିରେ ରାତିସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ମା’, ଧାରଣାସ୍ଥଳରେ ଅତିରିକ୍ତ ଡିସିପି ପ୍ରକାଶ ପାଲ୍‌

ଭୁବନେଶ୍ବର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବିରେ ରାତିସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ମା’ । ଧାରଣାସ୍ଥଳରେ ଅତିରିକ୍ତ ଡିସିପି ପ୍ରକାଶ ପାଲ୍‌ ପହଞ୍ଚିଛନ୍ତି । ଧାରଣାରେ ବସିଥିବା ଛାତ୍ର ସଙ୍ଗଠନ ଏବଂ ରୁଚିକାଙ୍କ ମା’ଙ୍କ ସହ ଆଲୋଚନା କରିଛନ୍ତି ଅତିରିକ୍ତ ଡିସିପି । ଝିଅ ଆତ୍ମହତ୍ୟା ପାଇଁ ଯେଉଁମାନେ ଦାୟୀ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ରୁଚିକାଙ୍କ ମା’ ।

ସୂଚନାଯୋଗ୍ୟ ଯେ, ସୋମବାର ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାକୁ ଥିବାବେଳେ ଶ୍ଵାସରୁଦ୍ଧ ହୋଇ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ରୀଙ୍କ ଭିସେରା SFSLକୁ ପରୀକ୍ଷା ପାଇଁ ପଠାଯିବ । ଶରୀରରେ ବିଷକ୍ରିୟା ଅଛି କି ନାହିଁ ଭିସେରା ରିପୋର୍ଟ ଆସିବା ପରେ ଜଣାପଡିବ । ତେବେ ବିଜେବି କଲେଜ ମୁଖ୍ୟ ଗେଟ୍ ସାମ୍ନାରେ ରୁଚିକାଙ୍କ ମା’ ଧାରଣା ଦେଇଛନ୍ତି । ସୁଇସାଇଡାଲ୍ ନୋଟ୍‌ରେ ଲେଖା ଥିବା ୩ ସିନିୟର ଛାତ୍ରୀଙ୍କୁ ଗିରଫ କରିବା ସହ କଲେଜରୁ ବହିସ୍କାର କରିବାକୁ ମୃତ ଛାତ୍ରୀଙ୍କ ମା’ ଦାବି କରିଛନ୍ତି ।

ସେହିପରି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ରୁଚିକାଙ୍କ ମା’ ଦାବି କରିଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ନୀରବତାକୁ କଡ଼ା ନିନ୍ଦା କରିଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ରୁଚିକାଙ୍କ ମା’ କହିଛନ୍ତି । ତାଙ୍କ ସହ ଆଉ କିଛି ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ନେଇ ଧାରଣାରେ ବସିଛନ୍ତି ।

ରୁଚିକା ମହାନ୍ତିଙ୍କ ବାପା ଓ ମା’ ଝିଅର ଆତ୍ମହତ୍ୟାରେ କିଛି ଛାତ୍ରୀଙ୍କ ସହ ହଷ୍ଟେଲର ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା ଘଟଣାରେ ମହିଳା କମିଶନର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାରମ୍ଭିକ ଭାବେ ଘଟଣା ସଂକ୍ରାନ୍ତୀୟ ଖବର ବୁଝିବା ସହ ଅନୁସନ୍ଧାନ କରିଛନ୍ତି । ଏହାସହ ପାଇଥିବା ତଥ୍ଯ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

Related Articles

Back to top button
WP Twitter Auto Publish Powered By : XYZScripts.com