ଓଡ଼ିଶା

ରାତି ପାହିଲେ ବାହୁଡା ଯାତ୍ରା, ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ

ପୁରୀ: ରାତି ପାହିଲେ ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ। ଆଜି ଆଡପ ମଣ୍ଡପରେ ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ସଂଧ୍ୟାଦର୍ଶନ ଯୋଗୁଁ ଆଜି ଗୁଣ୍ଡିଚା ମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ ନିଷ୍ପତି ପ୍ରଶାସନ ନେଇଥିବାବେଳେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଅବଧି ବଢାଯାଇଥିଲା। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରୁ ଲମ୍ବା ବ୍ୟାରିକେଡ଼ ହୋଇଥିଲା। ଆସନ୍ତାକାଲି ବାହୁଡା ଯାତ୍ରା ଥିବାରୁ ଆଜି ରାତିରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ନୀତିକାନ୍ତି ହେବ।

ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଦ୍ଵାର ଫିଟାଯାଇ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା। ସକାଳୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ଜିକ୍ ଜ୍ଯାକ ବ୍ୟାରିକେଡ଼ ଦେଇ ଭକ୍ତ ଶ୍ରଦ୍ଧାଳୁ ବ୍ୟାରିକେଡ଼ରେ ଦୀର୍ଘ ସମୟ ଅପେକ୍ଷା କରି ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ। ଆଜି ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ହୋଇଥିବାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା। ଖରା ଓ ଗୁଳୁଗୁଳି ସତ୍ତ୍ଵେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଆଜି ନବମୀ ସନ୍ଧ୍ୟା ଦର୍ଶନରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ନିଜକୁ କୃତାର୍ଥ ମନେ କରିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ ସହ ସେଡ୍ ର ବ୍ୟବସ୍ଥା ହୋଇଥିଲା। ସେହିପରି ଜାଗେଶ୍ବରୀ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା।

ଆଡପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନର ସ୍ୱତନ୍ତ୍ରତା ରହିଛି। ବର୍ଷ ତମାମ ଶ୍ରୀମନ୍ଦିରରେ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ। ବିଭିନ୍ନ ଶାସ୍ତ୍ର, ପୁରାଣରେ ବର୍ଣ୍ଣନା ଅନୁଯାୟୀ ନବମୀ ସନ୍ଧ୍ୟା ଦର୍ଶନ ଦିନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ଆଡ଼ପ ମଣ୍ଡପରେ ଦର୍ଶନ ଓ ବ୍ରାହ୍ମଣ ଭୋଜନ କରିଥିଲେ। ଏହା ଦ୍ବାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ। ଏହି କାରଣରୁ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ସମଗ୍ର ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା। ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଯୋଗୁ ଦର୍ଶନ ଅବଧି ବଢାଯାଇଥିଲା। ଆଜି ଶେଷ ଆଡପ ଅବଢା ହୋଇଥିବାରୁ ଭକ୍ତ ମାନେ ଟିକେ ଏହାକୁ ପାଇବା ପାଇଁ ଭକ୍ତମାନଙ୍କ ବେଶ୍ ଗହଳି ପରିଲକ୍ଷିତ ହୋଇଛି।

ସେପଟେ ଆସନ୍ତାକାଲି ବାହୁଡ଼ାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି, ବାହୁଟକଣ୍ଟ ଓ କୁସୁମୀ ଲାଗି ଆଦି ସ୍ଵତନ୍ତ୍ର ନୀତିକାନ୍ତି କରାଯିବ। ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆସନ୍ତାକାଲି ନୀଳକନ୍ଦରକୁ ବାହୁଡ଼ି ଯିବେ ମହାବାହୁ। ଏଥିପାଇଁ ରଥ ପ୍ରସ୍ତୁତ। ପଥ ମଧ୍ୟ ପ୍ରସ୍ତୁତ। ତେବେ ଏହା ପୂର୍ବରୁ କୋଠସୁଆଁସିଆ ସେବାୟତ ମାନଙ୍କ ଦ୍ଵାରା ରତ୍ନସିଂହାସନରେ ଆଜି ଚାରମାଳ ବନ୍ଧା ହେବ।

ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ନିକଟରେ ଅବଢା ଟିକିଏ ପାଇବା ପାଇଁ ଭକ୍ତମାନଙ୍କ ପ୍ରବଳ ଭିଡ  ଦେଖିବାକୁ ମିଳିଥିଲା।ମହାପ୍ରଭୁ ବାହୁଡିବା ବାଟରେ ତାଙ୍କ ପ୍ରିୟ ମାଉସୀ ମାଙ୍କ ହାତରୁ ପୋଡପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯିବାକୁ ଥିବାବେଳେ ଶ୍ରୀନହର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ହେବାର ପରମ୍ପରା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com