ଅନ୍ତର୍ଜାତୀୟଜାତୀୟ

ନିଜ ଜନ୍ମଦିନରେ ଛାଇଗଲେ ସୌରଭ ଗାଙ୍ଗୁଲି, ଲଣ୍ଡନ ସଡକରେ ଝିଅ ଏବଂ ପତ୍ନୀଙ୍କ ସହ କଲେ ଖୁବ୍ ଡ୍ୟାନ୍ସ, Video ଭାଇରାଲ୍

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି ହେଉଛି ୫୦ତମ ଜନ୍ମଦିନ। ଗାଙ୍ଗୁଲି ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ସେଠାରେ ସେ ଖାସ୍ ଅନ୍ଦାଜରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ଦାଦା ନାମରେ ପରିଚିତ ଗାଙ୍ଗୁଲି ଏହି ଅବସରରେ ନିଜ ବନ୍ଧୁଙ୍କ ଉପସ୍ଥିତିରେ କେକ୍ କାଟିଛନ୍ତି। କେବଳ ଏତିକି ନୁହେଁ ଲଣ୍ଡନ ସକଡକରେ ବନ୍ଧୁ ଏବଂ ନିଜ ପରିବାରଙ୍କ ସହିତ ଖୁବ୍ ଡ୍ୟାନ୍ସ କରିଛନ୍ତି ଦାଦା।

ସାମାଜିକ ଗଣମାଧ୍ୟମରେ କିଛି ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ଗାଙ୍ଗୁଲି ବଲିଉଡର କିଛି ଲୋକପ୍ରିୟ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଗାଙ୍ଗୁଲିଙ୍କ ଝିଅ ସାନା ଏବଂ ପତ୍ନୀ ଡୋନା ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓର ବ୍ୟାକଗ୍ରାଉଣ୍ଡରେ ଓମ ଶାନ୍ତି ଓମର ଗୀତ ବାଜୁଥିବା ଶୁଣିବାକୁ ମିଳୁଛି। ଏହା ପରେ ଗାଙ୍ଗୁଲି ଦେଶୀ ବୟଜ ଫିଲ୍ମର ଗୀତ ତୁ ମେରା ହିରୋରେ ଡ୍ୟାନ୍ସ କରିଛନ୍ତି।

ଏହା ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କୁ ନିଜର ପୂର୍ବତନ ସାଥୀ ଖେଳାଲି ତଥା ବନ୍ଧୁ ସଚିନ ତେନ୍ଦୁଲକରଙ୍କ ସହ ଲଣ୍ଡନରେ ଏକ ପ୍ରି ବାର୍ଥଡେ ପାର୍ଟିରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ଏବଂ ସଂପାଦକ ଜୟ ଶାହଙ୍କ ସହ ଉପସ୍ଥିତ ଥିଲେ। ଖୋଦ୍ ରାଜୀବ ଶୁକ୍ଳା ଟୁଇଟରରେ ପ୍ରି ବାର୍ଥଡେ ପାର୍ଟିର ଫଟୋ ସେୟାର କରିଛନ୍ତି।

ଭାରତର ସଫଳତମ ଅଧିନାୟକଙ୍କ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କୁ ଗଣାଯାଏ। ସେ ଭାରତ ପାଇଁ ୧୧୩ ଟେଷ୍ଟ ଏବଂ ୩୧୧ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ବାମହାତୀ ଏହି ଷ୍ଟାଇଲିସ୍ ବ୍ୟାଟସମ୍ୟାନ ଟେଷ୍ଟ ମ୍ୟାଚରେ ୪୨.୧୭ ହାରରେ ୭୨୧୨ ରନ କରିଛନ୍ତି। ଏଥିରେ ୧୬ ଶତକ ଏବଂ ୩୫ ଅର୍ଦ୍ଧଶତକ ସାମିଲ୍। ଦିନିକିଆରେ ୪୧.୦୨ ହାରରେ ୧୧୩୬୩ ରନ କରିଛନ୍ତି। ଏହି ଫର୍ମାଟରେ ସେ ୨୨ ଶତକ ଏବଂ ୭୨ ଅର୍ଦ୍ଧଶତକ ହାସଲ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com