ନୂଆଦିଲ୍ଲୀ: କରୋନା ସମୟରେ ସିନେମା ହଲ୍ ବନ୍ଦ ରହିବାରୁ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପରେ ଅଳ୍ପ ସୁଧୁରିବା ପରେ ଓଟିଟି ପ୍ଲାଟଫର୍ମର ଡିମାଣ୍ଡ ବଢ଼ିଯାଇଥିଲା। ଫିଲ୍ମ ରିଲିଜ୍ ହେବାର ୪ ସପ୍ତାହ ପରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଥିବାରୁ ଲୋକେ ମାସକ ଭିତରେ ଫିଲ୍ମ ଦେଖିପାରୁଥିଲେ। ହେଲେ ଏବେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଦେଖିବାକୁ ହେଲେ ଆପଣଙ୍କୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କାରଣ ସିନେମା ହଲ୍ ଓ ପରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍ ହେବାର ସମୟ ବ୍ୟବଧାନ ବଢ଼ିଯାଇଛି।
କରୋନା ପୂର୍ବରୁ ସିନେମା ହଲ ମାଲିକମାନେ ଫିଲ୍ମ ନିର୍ମାତାମାନଙ୍କ ସହ ଏପରି ଚୁକ୍ତି କରିଥିଲେ। ଏହି ଚୁକ୍ତି ଅନୁସାରେ ସିନେମା ହଲ୍ରେ ରିଲିଜ୍ ହେବାର ୪ ସପ୍ତାହ ବଦଳରେ ୮ ସପ୍ତାହ ପରେ ଯାଇ ଫିଲ୍ମ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହେବ। ଅଗଷ୍ଟରେ ପରଠାରୁ ଯେଉଁ ଫିଲ୍ମଗୁଡିକ ରିଲିଜ୍ ହେବ ସେଗୁଡିକ ୮ ସପ୍ତାହ ପରେ ଓଟିଟିରେ ରିଲିଜ୍ ହେବ। ଯଦି ଆପଣ ହଲ୍ରେ ସିନେମା ଦେଖିବାକୁ ଯାଇପାରୁ ନାହାନ୍ତି ତେବେ ଆପଣଙ୍କୁ ଏହି ଓଟିଟି ପ୍ଲାଟ୍ଫର୍ମରେ ଫିଲ୍ମ ଦେଖିବାକୁ ୮ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ।
ସୂଟନା ଥାଉକି, ସିନେମା ହଲ ଓ ଓଟିଟି ରିଲିଜ୍ ମଧ୍ୟରେ ଅଧିକ ବ୍ୟବଧାନ ନଥିବାରୁ ମଲ୍ଟିପ୍ଲେକ୍ସଗୁଡ଼ିକୁ ସମସ୍ୟା ହେଉଥିଲା। ୪ ସପ୍ତାହ ମଧ୍ୟରେ ସିନେମା ଓଟିଟିରେ ରିଲିଜ୍ ହେଉଥିବା ଜଣାପଡିବା ପରେ ଲୋକେ ଆରାମରେ ଓଟିଟିରେ ଫିଲ୍ମ ଦେଖିବାକୁ ଅପେକ୍ଷା କରୁଥିଲେ। ଫଳରେ ସିନେମା ହଲ୍କୁ କ୍ଷତି ହେଉଥିଲା। ତେଣୁ କରୋନା ପୂର୍ବରୁ ହୋଇଥିବା ଏହି ଚୁକ୍ତିକୁ ଲାଗୁ କରାଯାଇଛି।