ଅନ୍ତର୍ଜାତୀୟଜାତୀୟ

ଶ୍ରୀଲଙ୍କାରୁ ପରିବାର ସମେତ ଖସି ପଳାଇଛନ୍ତି ଗୋଟାବାୟା ରାଜପକ୍ଷେ, ମାଲଦ୍ୱୀପରେ ନେଇଛନ୍ତି ଶରଣ, ଦେଇ ନାହାନ୍ତି ଇସ୍ତଫା

କଲମ୍ବୋ:  ଭୟଙ୍କର ଆର୍ଥିକ ଓ ରାଜନୈତିକ ସଂକଟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପରିବାର ସମେତ ଶ୍ରୀଲଙ୍କା ଛାଡି ପଳାୟନ କରିଥିବା ଜଣାପଡିଛି। ରାଷ୍ଟ୍ରପତି ପଦରୁ ଗୋଟାବାୟା ଇସ୍ତଫା ଦେଇ ନାହାନ୍ତି। ଏଣୁ ଜଣେ ରାଷ୍ଟ୍ରପତି ଭାବେ ଗୋଟାବାୟାଙ୍କୁ ଶ୍ରୀଲଙ୍କା ବାୟୁସେନା ପରିବାର ସମେତ ମାଲଦ୍ୱୀପରେ ଛାଡି ଆସିଛି। ଗୋଟାବାୟା ରାଜପକ୍ଷେ ତାଙ୍କ ନିର୍ଦ୍ଧାରିତ ଗନ୍ତବ୍ୟରେ ପହଞ୍ଚିବା ପରେ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡିଛି।

ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଗୋଟାବାୟା ରଜପକ୍ଷେ କିଛି ପାରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ ମିଲେଟ୍ରି ବିମାନରେ ଦେଶ ଛାଡିଥିଲେ। ସକାଳେ ଦେଶବାସୀଙ୍କୁ ଏହି ସୂଚନା ମିଳିବା ପରେ ବିକ୍ଷୋଭ ଜଟିଳ ରୂପ ଧାରଣ କରିଛି। ରାଜପକ୍ଷେ ଦେଶଛାଡି ପଳାୟନ କରନ୍ତୁ ଏହା ଦେଶବାସୀ ଚାହୁଁଥିଲେ, ହେଲେ ସେ ଇସ୍ତଫା ନଦେଇ ପଳାୟନ କରିବା ପରବର୍ତ୍ତି ରାଷ୍ଟ୍ରପତି ଓ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ବୋଲି ଦେଶବାସୀ ଭାବୁଛନ୍ତି। ତେବେ ଆସନ୍ତୁ ଜାଣିବା କାହିଁକି ଇସ୍ତଫା ଦେଇ ନାହାନ୍ତି ଗୋଟାବାୟା ରାଜପକ୍ଷେ।

ଗୋଟାବାୟା ରାଜପକ୍ଷେ କାହିଁକି ଏପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି ଏହା ମଧ୍ୟ ଏବେ ସ୍ପଷ୍ଟ ହେବାରେ ଲାଗିଛି। ରାଜପକ୍ଷେ ପ୍ରଥମରୁ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲେ। ସେ ଶ୍ରୀଲଙ୍କାରୁ ସୁରକ୍ଷିତ ବାହାରିବାକୁ ଚାହୁଁଥିଲେ। ଏଥିରେ ଯଦି ସେ ରାଷ୍ଟ୍ରପତି ପଦ ଛାଡି ଦେଇଥାନ୍ତେ ତେବେ ଏହା କେବେ ସମ୍ଭବ ହୋଇ ନଥାନ୍ତା। ଶ୍ରୀଲଙ୍କା ବାୟୁସେନା ରାଜପକ୍ଷେ ଓ ତାଙ୍କ ପରିବାରଙ୍କୁ ମାଲଦ୍ୱୀପ ଛାଡି ଆସିବା ଏବେ ବାୟୁସେନା ପ୍ରତି ମଧ୍ୟ ପ୍ରଶ୍ନବାଚୀ  ସୃଷ୍ଟି ହୋଇଛି।  ତେବେ ବାୟୁସେନା ଶୀର୍ଷ ଅଧିକାରୀ ଏ ବାବଦେ ସ୍ପଷ୍ଟିକରଣ ଦେଇଥିବା ବେଳେ ସମ୍ବିଧାନରେ ନିହିତ ଆଇନଗତ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତିଙ୍କୁ ବିମାନ ଯୋଗାଇ ଦିଆଯାଇଥିବା କହିଛନ୍ତି।

୭୩ ବର୍ଷ ବୟଷ୍କ ଗୋଟାବାୟା ମାଲଦ୍ୱୀପ ପହଞ୍ଚିବା ପରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୋଟାବାୟାଙ୍କୁ ଶ୍ରୀଲଙ୍କାରୁ ବାହାର କରିବା ପାଇଁ  ମାଲଦ୍ୱୀପ ସଂସଦର ବାଚସ୍ପତି ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ସହାୟତା କରିଛନ୍ତି। ରାଜପକ୍ଷେ ଏବେ ଶ୍ରୀଲଙ୍କାର ରାଷ୍ଟ୍ରପତି ବୋଲି ମାଲଦ୍ୱୀପ ସରକାର କହିଛନ୍ତି। ଏଥିରେ ଯଦି ଗୋଟାବାୟା ରିଜାଇନ କରିଥାନ୍ତେ ତେବେ ତାଙ୍କର ମାଲଦ୍ୱୀପ ଶରଣ ସମ୍ଭବ ହୋଇ ନଥାନ୍ତା। ଗୋଟାବାୟାଙ୍କୁ ମିଶାଇ ମୋଟ ୧୩ ଜଣ ବାୟୁସେନା ବିମାନରେ ମାଲଦ୍ୱୀପ ପହଞ୍ଚିଛନ୍ତି।

ଶ୍ରୀଲଙ୍କା ବାୟୁସେନା ବିମାନ ମାଲଦ୍ୱୀପ ପହଞ୍ଚିବା ପରେ ସେଠାକାର ସିଭିଲ ଏଭିଏସନ ଅଥରିଟି ଅବତରଣ ଅନୁମତି ଦେଇ ନଥିଲେ। ତେବେ ନଶିଦ ଫୋନ କରିବା ପରେ ଅନୁମତି ମିଳିଛି। ଏବେ ମାଲଦ୍ୱିପ ନ୍ୟାସନାଲ ପାର୍ଟିର ସଂସଦୀୟ ଗୋଷ୍ଠୀ ସଂସଦରେ ପ୍ରସ୍ତାବ ଉପସ୍ଥାପନ କରି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ କିପରି ଶରଣ ଦେଇଛନ୍ତି ସେ ସମ୍ପର୍କରେ ସୂଚିତ କରିବେ। ଏଣୁ ଗୋଟାବାୟା ଇସ୍ତଫା ଦେଇଥିଲେ ଏହା ସମ୍ଭବ ହୋଇନଥାନ୍ତା।

ତେବେ ଏହା ପୂର୍ବରୁ ଗୋଟାବାୟାଙ୍କ ପରିବାର ସାଧାରଣ ବିମାନ ଯୋଗେ ଦେଶ ଛାଡି ଦୁବାଇ ପଳାଇବା ପାଇଁ ଯୋଜନା କରିଥିଲେ। ଏଥିଲାଗି ଗୋଟାବାୟାଙ୍କ ସହଯୋଗୀ ୧୫ଟି ପାସପୋର୍ଟ ନେଇ ବିମାନ ବନ୍ଦର ପହଞ୍ଚିଥିଲେ। ତେବେ ଆଗନ୍ତୁକଙ୍କ ଅନୁପସ୍ଥିତିରେ ଇମିଗ୍ରେସନ ଅଧିକାରୀ ପାସପୋର୍ଟ ପ୍ରୋସେସ୍ କରିବାକୁ ମନା କରିଦେଇଥିଲେ। ଏଣୁ ଗୋଟାବାୟାଙ୍କ ପରିବାର ଦୁବାଇ ଯାଇ ପାରିନଥିଲେ। ଏବେ ଜଣାପଡିଛି ଗୋଟାବାୟା ତାଙ୍କ ନିର୍ଦ୍ଧାରିତ ଗନ୍ତବ୍ୟରେ ପହଞ୍ଚିବା ପରେ ହିଁ ଇସ୍ତଫା ଦେବେ। ସେ ମାଲଦ୍ୱୀପରୁ ଦକ୍ଷିଣ ଏସିଆର କୌଣସି ଦେଶକୁ ଯିବେ ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com