ଭାରତର ଷୋଡଶତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦାନ କେନ୍ଦ୍ରରେ ପହଞ୍ଚି ପ୍ରଥମେ ଭୋଟ୍ ଦେଇଛନ୍ତି । ପରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପହଞ୍ଚି ଭୋଟ୍ ଦେଇଥିଲେ। ଏହିକ୍ରମରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଥିବାରୁ ପାର୍ଲାମେଣ୍ଟ୍ ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମତଦାନ କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଭୋଟ୍ ଦେଇଛନ୍ତି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ଭୋଟଦାନ କରିଛନ୍ତି । ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ତଥା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କ ମୁକୁଟ ପିନ୍ଧିବା ନିଶ୍ଚିତ ବୋଲି ଦାବି କରିଛି ବିଜେପି । ୨୭ ଟି ଦଳର ସମର୍ଥନ ସହିତ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିପୁଳ ସମର୍ଥନ ରହିଥିବା କୁହାଯାଇଛି। ଏଥି ସହିତ, କେବଳ ୧୪ ଟି ଦଳର ସମର୍ଥନରେ ସିହ୍ନାଙ୍କୁ ପ୍ରାୟ ୩ଲକ୍ଷ ୬୨ ହଜାର ଭୋଟ୍ ମିଳିବ ବୋଲି ଆଶା କରାଯାଉଛି । ଆଜି ସକାଳେ ‘ଏନ୍ଡିଏ’ର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଟୁଇଟ୍ କରି ଲେଖିଥିଲେ: ଆଜି ରାଷ୍ଟ୍ରପତି ନିର୍ବାଚନ। ମହାଦେବଙ୍କ ଆଶିଷ ମିଳିବ ବୋଲି ମୋର ବିଶ୍ବାସ। ହର ହର ମହାଦେବ। ସେହିଭଳି, ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ବିଧାୟକମାନେ ଭୋଟ୍ ଦେଉଛନ୍ତି।