ଓଡ଼ିଶା

ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ, ୨୦୨୦ ତୁଳନାରେ ୨୧ରେ ବୃଦ୍ଧି ପାଇଁ ସବୁପ୍ରକାର ହିଂସା

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ। ଦିନକୁ ୨୯ରୁ ଅଧିକ ମହିଳାଙ୍କ ସମ୍ମାନହାନି ହେଉଥିବା ବେଳେ ୧୬ରୁ ଅଧିକ ମହିଳାଙ୍କୁ ଅପହରଣ ଓ ୭ରୁ ଅଧିକ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର । ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ସବୁପ୍ରକାରର ହିଂସା ବୃଦ୍ଧି ପାଇଛି ବୋଲି ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଲିଖିତ ଭାବେ ଉତ୍ତର ଦେଇଛନ୍ତି ।

ସେହି ଲିଖିତ ଉତ୍ତରରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ୨୦୨୨ ଜାନୁୟାରୀରୁ ଏପ୍ରିଲ ୩୦ତାରିଖ ମଧ୍ୟରେ ରାଜ୍ୟରେ ୧୯୮୩ଟି ଅପହରଣ ଓ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି।  ଏହାବାଦ୍‌୨୦୨୦ ମସିହାରେ ୨୯୮୪ଟି , ୨୦୨୧ରେ ୩୩୨୭ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି  ।

ସେହିପରି୨୦୨୦ ମସିହାରେ ୭୯୩୭ଟି, ୨୦୨୧ରେ ୧୦୦୧୮ଟି ଓ ୨୦୨୨ ଏପ୍ରିଲ ୩୦ ମଧ୍ୟରେ ୩୫୩୪ଟି ମହିଳା ଅସଦାଚରଣ ମାମଲା ଥାନାରେ ପଞ୍ଜିକୃତ ହୋଇଛି । ମହିଳା ଅପହରଣ ମାମଲା ୨୦୨୦ ମସିହାରେ ୩୭୨୦ଟି, ୨୦୨୧ରେ ୫୧୭୫ଟି ଓ ୨୦୨୨ ଏପ୍ରିଲ ୩୦ ସୁଦ୍ଧା ୧୯୮୩ଟି ମାମଲା ପଞ୍ଜିକୃତ ହୋଇଛି ।

ସେପଟେ ଘରୋଇ ହିଂସା ମାମଲା ୨୦୨୦ରେ ୩୧୫୩ଟି, ୨୦୨୧ରେ ୪୮୮୯ଟି, ୨୦୨୨ ଏପ୍ରିଲ ସୁଦ୍ଧା ୧୪୩୦ଟି ମାମଲା ପଞ୍ଜିକୃତ ହୋଇଛି । ଏହାସହିତ ଯୌତୁକ ନିର୍ଯାତନାରେ ୨୦୨୦ ମସିହାରେ ୩୭୫୯ଟି, ୨୦୨୧ରେ ୪୯୫୩ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ସୁଦ୍ଧା ୧୪୪୨ଟି ମାମଲା ପଞ୍ଜିକୃତ ହୋଇଛି  । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com