Featuredଓଡ଼ିଶାରାଜନୀତି

୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ : ଆଉ ରହିବ ନାହିଁ ପାନୀୟ ଜଳ ସମସ୍ୟା । ସଭିଙ୍କ ପାଖରେ ପହଞ୍ଚିବ ବିଶୁଦ୍ଧ ପାଣି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । 5T ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ଲୋକାର୍ପିତ ହୋଇଛି । ଆଜି ଲୋକସେବା ଭବନର କନ୍‌ଭେନସନ ହଲରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା – ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍‌, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର । ଏହିସବୁ ସହର ଗୁଡିକର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇଲେ ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ବପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି। ୧୯ଟି ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ସେବାରେ ଯୋଡି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଏକ ଐତିହାସିକ ଦିନ । ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ତେଣୁ ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ୱାଟକୋର ସିଇଓ ଶ୍ରୀ ପି.କେ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com