ଓଡ଼ିଶା

ବ୍ରହ୍ମପୁର ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟକାର୍ଡ; ସହରବାସୀଙ୍କ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ସ୍ୱାସ୍ଥ୍ୟକର୍ମୀ

ବ୍ରହ୍ମପୁର, ୨୬/୦୭/୨୦୨୨-  ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବିଏମସିର ସ୍ୱାସ୍ଥ୍ୟକର୍ମୀ । ରୋଗ ଚିହ୍ନଟ କରାଯିବା ସହିତ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ କରାଯିବ । ସେହି ସ୍ୱାସ୍ଥ୍ୟକାର୍ଡ଼ରେ ଲୋକଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ରହିବ । ଏନେଇ ସମସ୍ତ ପ୍ରକାର ପ୍ଲାନିଂ ସରିଛି । ମାନବ ସମ୍ବଳ ଓ ମେସିନର ଆବଶ୍ୟକତାକୁ ନେଇ ପ୍ରସ୍ତୁତି ଜାରି ରହିଛି ବୋଲି ସୂଚନା ଦେଇଛନ୍ତି- ବି.ଏମ.ସି କମିଶନର ଜେ.ସୋନାଲ । ଖୁବଶୀଘ୍ର ଏହି ରୋଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ଯାହାଫଳରେ ସହରରେ କେଉଁ ବୟସର ଲୋକେ କେଉଁ ସବୁ ରୋଗର ଶୀକାର ହେଉଛନ୍ତି ତାହା ଜଣାପଡ଼ିବ । ବିଏମସିର ଏଭଳି ପଦକ୍ଷେପକୁ ଡ଼ାକ୍ତର ଓ ବ୍ରହ୍ମପୁର ବାସିନ୍ଦା ସ୍ୱାଗତ କରିଥିବା ବେଳେ ଖୁବଶୀଘ୍ର ଏହା ଆରମ୍ଭ ହେବା ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି । ମଧୁମେହ, ରକ୍ତଚାପ, ମେଦବହୁଳତା, ଅକ୍ସିଜେନ ସ୍ତର ସହ ମୋଟ ୭ଟି ରୋଗକୁ ନେଇ ସ୍ୱାସ୍ଥ୍ୟ ପରିକ୍ଷା କରାଯିବ । ଯେଉଁମାନଙ୍କୁ ଏହି ୭ଟି ମଧ୍ୟରୁ କୌଣସି ରୋଗ ରହିଛି ସେମାନଙ୍କୁ ସେଠାରେ ହିଁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଯଦି ଆବଶ୍ୟକ ପଡ଼େ ତେବେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେମାନଙ୍କୁ ନେଇ ଚିକିତ୍ସିତ କରାଯିବ । କେବଳ ଏତିକି ନୁହେଁ ବରଂ ପ୍ରତ୍ୟେକ ଘରର ସମସ୍ତ ସଦସ୍ୟଙ୍କ ତଥ୍ୟ ସହିତ ସେମାନଙ୍କର ସ୍ୱାସ୍ଥ୍ୟ କିଭଳି ରହିଛି, କୌଣସି ରୋଗ ଅଛି କି ନାହିଁ ଏହି ସମସ୍ତ ତଥ୍ୟକୁ ନେଇ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟକାର୍ଡ଼ ପ୍ରସ୍ତୁତ କରାଯିବ । ରୋଗକୁ ଜାଣିବା ପରେ ଉଚିତ ଚିକିତ୍ସା ଦ୍ୱାରା ତାହା ଭଲ ମଧ୍ୟ ହୋଇପାରିବ । ଅନେକ ଦୂରାରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ଲକ୍ଷଣ ଜନିତ କିଛି ଛୋଟ ଛୋଟ ରୋଗର ଶୀକାର ହୋଇଥାନ୍ତି । ଅବହେଳା କାରଣରୁ ରୋଗ ଭୟଙ୍କର ରୂପ ନେଇଥାଏ । ଏହି କ୍ଷେତ୍ରରେ ମଧ୍ୟ ବିଏମସିର ରୋଗ ଚିହ୍ନଟ ପ୍ରକ୍ରିୟା ବେଶ ସହାୟକ ହେବ ବୋଲି କହିଛନ୍ତି- ଡ଼ାକ୍ତର ସୁନୀଲ କୋଟା l ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ସହରବାସୀ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇପାରିବେ । ତେଣୁ ରୋଗ ଚିହ୍ନଟ ପ୍ରକ୍ରିୟା ଦ୍ୱାରା ଲୋକେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହିତ ନିଜକୁ କିଭଳି ନିରୋଗ ରଖିପାରିବେ ସେ ନେଇ ମଧ୍ୟ ଅବଗତ ହୋଇପାରିବେ ବୋଲି କହିଛନ୍ତି- ବ୍ରହ୍ମପୁର ବାସିନ୍ଦା ମୋହନ ସିଂହାରୀ । ଓଡ଼ିଶାରେ ଏଭଳି ରୋଗ ଚିହ୍ନଟ ପ୍ରକ୍ରିୟା ତଥା ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ଼ ପ୍ରସ୍ତୁତ କରିବାରେ ବ୍ରହ୍ମପୁର ସହର ପ୍ରଥମ । ତେବେ ଏହା କେବେଠାରୁ ସହରରେ ଆରମ୍ଭ ହେଉଛି ଏବଂ ସହରବାସୀ ଏହାଦ୍ୱାରା କେତେ ଉପକୃତ ହେଉଛନ୍ତି ସେ ଉପରେ ଏବେ ସଭିଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com