ଓଡ଼ିଶା

ଅନ୍ଧବିଶ୍ୱାସ ଯୋଗୁଁ ଚାଲିଗଲା ଶିଶୁପୁତ୍ରର ଜୀବନ

ନବରଙ୍ଗପୁର, ୩୦/୦୭/୨୦୨୨-  ଅନ୍ଧବିଶ୍ୱାସ  ଦୂର କରିବାକୁ ସରକାର ନାନା ପ୍ରକାର ସଚେତନ କାର୍ଯ୍ୟକ୍ରମ କରୁଛନ୍ତି । ତଥାପି ଚେତୁ ନାହାନ୍ତି କିଛି ଲୋକ। ଅନ୍ଧବିଶ୍ୱାସ ଯୋଗୁ ପୁଣି ବଳି ପଡିଛି ଏକ କଅଁଳ ଶିଶୁପୁତ୍ରର ଜୀବନ । ନବରଙ୍ଗପୁର ରାଇଘର ବ୍ଲକ ଜଡାପାରା ଗାଁର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ଥଣ୍ଡା, କାଶ ଜ୍ୱର ହୋଇଥିଲା । ଡାକ୍ତରଖାନା ନେବାକୁ ଆଶାକର୍ମୀ କହିଥିଲେ । ପରିବାର ଲୋକେ ତାକୁ ଡାକ୍ତରଖାନାକୁ ନେବା ପରିବର୍ତ୍ତେ ପ୍ରଥମେ ଜଣେ ଗୁଣିଆ ପାଖକୁ ନେଇଥିଲେ । ସେଠାରେ ଶିଶୁର ପେଟରେ ଚିକିତ୍ସା ବାହାନାରେ  ୨୫ଟି ଚେଙ୍କ ଦିଆଯାଇଥିଲା । ଅବସ୍ଥା ସୁଧୁରିବା ପରିବର୍ତ୍ତେ ଗୁରୁତର ହୋଇପଡିବାରୁ ରାଇଘର ହାଟଭରଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ପହଞ୍ଚି ଶିଶୁଟିକୁ ଛାଡିଦେବାକୁ ବାରମ୍ବାର ପରିବାର ଲୋକ କହୁଥିଲେ । ଶିଶୁର ଅବସ୍ଥା ଶୋଚନୀୟ ଥିବା କହି ଛାଡ଼ିବାକୁ ରାଜି ହୋଇ ନଥିଲେ ଡାକ୍ତର । ଶିଶୁକୁ ଦେଖିବା ବାହାନା କରି ପରିବାର ଲୋକ ତାକୁ ନେଇ ଲୁଚି ଚାଲି ଯାଇଥିଲେ l ଏହା ପରେ ଡାକ୍ତର କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ଭୋରରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com