ଦେଶରେ ମଙ୍କିପକ୍ସ ସଂକ୍ରମଣ ବଢୁଥିବା ବେଳେ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାର୍ଗଦର୍ଶିକା ଜାରି କରିଛି । କଣ କରିବାକୁ ହେବ କଣ କରିବେ ନାହିଁ ସେ ସମ୍ପର୍କରେ ଏଥିରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ମାର୍ଗଦର୍ଶିକାରେ କୁହାଯାଇଛି ଯଦି କେହି ବ୍ୟକ୍ତି ଏହି ଭୂତାଣୁର ସଂସ୍ପର୍ଷରେ ଆସିଥିବା ଲୋକ ସହ ବାରମ୍ବାର ସମ୍ପର୍କରେ ଆସିଥାନ୍ତି ତେବେ ମଙ୍କିପକ୍ସ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ସ୍ୱାସ୍ଥ୍ୟମନ୍ତ୍ରାଳୟ ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିବା ପାଇଁ ପରାମର୍ଶ ଦେଇଛି । ଲୋକଙ୍କୁ ସାନିଟାଇଜର, ସାବୁନ କିମ୍ବା ପାଣିରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଡିସପୋଜାଲ ଗ୍ଲୋବସର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହା ଛଡା ଆଖପାଖର ପରିବେଶକୁ ସଫା ରଖିବାକୁ ମଧ୍ୟ କୁହାଯାଇଛି। ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିଛି ସେମାନଙ୍କ ସାମଗ୍ରୀ ଅନ୍ୟ ମାନେ ବ୍ୟବହାର କରିବାକୁ ମନାକରାଯାଇଛି । ସଂକ୍ରମିତଙ୍କୁ ସାର୍ବଜନୀନସ୍ଥାନ, କାର୍ଯ୍ୟକ୍ରମକୁ ଯିବାକୁ ମଧ୍ୟ ବାରଣ କରାଯାଇଛି ।