ସିନ୍ଦେ ଗୋଷ୍ଠୀକୁ ବଡ ଝଟକା । ସୁପ୍ରିମକୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଆବେଦନରେ ସିନ୍ଦେ ସେମାନେ ପ୍ରକୃତ ଶିବସେନା ଓ ତାଙ୍କୁ ନିର୍ବାଚନୀ ସଙ୍କେତ ମିଳୁ ବୋଲି କୁହାଯାଇଥିଲା । ପ୍ରଧାନ ବିଚାରପତି ଏନଭି ରମଣା, ଜଷ୍ଟିସ୍ କୃଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠ କହିଥିଲେ, ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମ୍ବନ୍ଧୀୟ ମାମଲାକୁ ସମ୍ବିଧାନିକ ପୀଠ ପାଖକୁ ପଠାଇବା ନେଇ ସୋମବାର ନିଷ୍ପତ୍ତି ନିଆଯିବ ।ପାଞ୍ଚ ସଦସ୍ୟ ବିଶିଷ୍ଟ ପୀଠକୁ ମାମଲା ଯିବ ନା ନାହିଁ ଏହା ଉପରେ ସେମାନେ ନିଷ୍ପତ୍ତି ନେବେ ।
କୋର୍ଟ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବାବଦୀୟ ମାମଲାର ଶୁଣାଣି କରୁଛନ୍ତି। ଉଭୟ ଶିବସେନା ଓ ସିନ୍ଦେଙ୍କ ଗୋଷ୍ଠୀ ମାମଲା ଦାଖଲ କରିଛନ୍ତି । ଏଥିରେ ରାଜନୈତିକ ଦଳ ବିଭାଜନ, ବିଜୟ, ଦଳ ବଦଳ, ଅଯୋଗ୍ୟ ଘୋଷଣା ସମେତ ସାମ୍ବିଧାନିକ ପ୍ରସଙ୍ଗ ସ୍ଥାନ ପାଇଛି । ବୁଧବାର ମଧ୍ୟ ଏମାମଲାର ଶୁଣାଣି ହୋଇଥିଲା । ରବିବାର ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀ ଏକ ମାମଲା ଦାଖଲ କରିଥିଲେ । ଯେଉଁଥିରେ ଉଦ୍ଧବ ଠାକରେଙ୍କ ପକ୍ଷରୁ ଦାଖଲ ସମସ୍ତ ଆବେଦନକୁ ଖାରଜ ପାଇଁ ଅନୁରୋଧ କରାଯାଇଥିଲା । ଏହାସହ ନିର୍ବାଚନ ଆୟୋଗଙ୍କୁ ଶୀଘ୍ର ଅସଲି ଶିବସେନା କିଏ ସେନେଇ ନିଷ୍ପତ୍ତି ନେବାକୁ ଦିଆଯାଉ ବୋଲି ଆବେଦନରେ କୁହାଯାଇଥିଲା ।