ଓଡ଼ିଶା

କମୁଛି ବନ୍ୟାର ପ୍ରକୋପ, ମୁଖ୍ୟମନ୍ତ୍ରୀ ଅପରାହ୍ନରେ କରିବେ ବନ୍ୟାଞ୍ଚଳ ପରିଦର୍ଶନ

ରାଜ୍ୟରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ବନ୍ୟାର ପାଦୁର୍ଭାବ କମାଇବାକୁ ହୀରାକୁଦରେ କିଛି ଗେଟ୍ ବନ୍ଦ କରାଯାଇଛି । ଏବେ ହୀରାକୁଦରେ ୪ଲକ୍ଷ ୪୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୬୨୨ ଫୁଟ ତଳକୁ ଜଳସ୍ତରକୁ ଆଣିବା ପାଇଁ ପ୍ରୟାସ କରାଯାଉଛି । ବିଭିନ୍ନ ସ୍ଥାନରେ ୨ ଫୁଟ ତଳକୁ ଜଳ ସ୍ତର କମିଛି । କଣାସରେ ଜଳ ସ୍ତର କମିବା ପାଇଁ କିଛି ଅଧିକ ସମୟ ଲାଗିବ । ତଥାପି ସମସ୍ତେ ସତର୍କ ରହିବାକୁ SRC  କହିଛନ୍ତି। ମହାନଦୀରେ ଏଯାଏ ୭ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ତେବେ ଘଳିଆ ପଡ଼ିଥିବା ସ୍ଥାନକୁ ମରାମତି କରାଯାଉଥିବା SRC ସୂଚନା ଦେଇଛନ୍ତି। ଚଳିତ ବନ୍ୟାରେ ଏଯାଏ ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୧୭୫୭ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ସେଥିରୁ ୪୨୫ ଗାଁ ଜଳଘେରରେ ରହିଛି। ପ୍ରାୟ ୬୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକରେ ବନ୍ୟା ଜଳ କମିବା ସହ ସ୍ଥିତି ସୁଧୁରୁଥିବା SRC କହିଛନ୍ତି । ଗୁରୁବାର କୌଣସି ନୂତନ ଘାଇ ସୃଷ୍ଟି ହୋଇନାହିଁ । ମହାନଦୀରେ ବନ୍ୟା ଫଳରେ କଟକ ଜିଲ୍ଲା ଆଠଗଡ଼ର ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି। ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି । ହୀରାକୁଦରୁ ଛଡ଼ାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପାଣି ସଂଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ । ବର୍ତ୍ତମାନ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଛି । ହୀରାକୁଦର ପାଣି ପହଞ୍ଚିଲା ବେଳକୁ ସମାନ ପରିମାଣର ଜଳ ପ୍ରବାହିତ ହେବ । ତେବେ ଏହା ପରେ ମୁଣ୍ଡଳିରେ ୮ ରୁ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାବିତ ହେବ ବୋଲି କହିଛନ୍ତି ଜଳ ସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି । ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୫T ସଚିବ ଭି.କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com