ଉତ୍ତରପ୍ରଦେଶରେ ଚମକିଲା ଗଞ୍ଜାମର କଣ୍ଢେଇ ନାଚ
![](https://i0.wp.com/odia.mobilenews24x7.com/wp-content/uploads/2022/09/WhatsApp-Image-2022-09-04-at-12.51.16.jpeg?resize=696%2C470&ssl=1)
ବ୍ରହ୍ମପୁର ଅଫିସ ; ୦୪/୦୯ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଶାଲିମାର ଗାର୍ଡେନ ଠାରେ ଓଡ଼ିଆ ସୋସାଇଟି କଳିଙ୍ଗାୟନ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଅବସରରେ ଦୁଇଦିନିଆ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ବଡ଼କୋଦଣ୍ଡା ଗ୍ରାମର ‘ଦୁର୍ଗା ମାଧବ କଣ୍ଢେଇ ଅପେରା ର ‘ କର୍ଣ୍ଣ ବଦ୍ଧ ‘ ନାଟକ ଗଣେଶ ପୂଜା ଦିନ ପ୍ରଦର୍ଶିତ ହୋଇଯାଇଛି । କଳିଙ୍ଗାୟନ ସଭାପତି କୈଳାସ ଚନ୍ଦ୍ର ମିଶ୍ର ଏବଂ ସମ୍ପାଦକ ଦିଲ୍ଲୀପ କୁମାର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନିର୍ଦ୍ଦେଶକ ଲଡୁ କିଶୋର ସାହୁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ରବି ନାରାୟଣ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । କଣ୍ଢେଇ ଅପେରାର ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ୧୨ ଜଣ କଳାକାର କଣ୍ଢେଇ ନାଚ ପରିବେଷଣରେ ସାମିଲ ହୋଇଥିଲେ । ମୁଖ୍ୟ କଣ୍ଢେଇ ପରିଚାଳକ ଭାବେ ବିଭତ୍ସ ସ୍ୱାଇଁ ଏବଂ ସହ ପରିଚାଳକ ସନ୍ତୋଷ ସାହୁ ଏବଂ ଅଶୋକ ସାହୁ ସହଯୋଗ କରିଥିଲେ। କଣ୍ଠଶିଳ୍ପୀ ଭାବେ ଉଦିତ ନାରାୟଣ ଦାଶ ଏବଂ ପ୍ରଣିତା କୁମାରୀ ପାଢ଼ୀ ନାଟକ ସଙ୍ଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ବିପ୍ର ନାୟକ, ନିରଞ୍ଜନ ବେହେରା, ଟୁନା ନାୟକ ରହିଥିଲେ।ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ରବି ନାରାୟଣ ଦାଶଙ୍କୁ କଳିଙ୍ଗାୟନ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ସହ ସମସ୍ତ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।