ଜାତୀୟ

ଆଉ ଏକ ଶିବସେନା ଭବନ ନିର୍ମାଣ କରିବେ ସିନ୍ଦେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଦେବାକୁ ଯାଉଛନ୍ତି। ପ୍ରଥମେ ଦୁଇ ତୃତୀୟାଂଶ ଶିବସେନା ବିଧାୟକ ଏବଂ ସାଂସଦଙ୍କୁ ନିଜ ପକ୍ଷକୁ ଆଣିବା ପରେ ସିନ୍ଦେ ମୁମ୍ବାଇର ଦାଦରରେ ଆଉ ଏକ ଶିବସେନା ଭବନ ନିର୍ମାଣ କରିବାକୁ ଯାଉଛନ୍ତି। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଗତ ପାଞ୍ଚ ଦଶନ୍ଧି ଧରି ଶିବ ସୈନିକର ନ୍ୟାୟ ଭବନ ଭାବରେ ପ୍ରତିଷ୍ଠିତ ବାଲାସାହେବଙ୍କ ଶିବସେନା ଭବନ ଉପରେ ସିନ୍ଦେ ନିଜର ଅଧିକାର ଦାବି କରିବେ। କିନ୍ତୁ ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ଏକନାଥ ସିନ୍ଦେ ଦାଦରରେ ଆଉ ଏକ ଶିବସେନା ଭବନ ନିର୍ମାଣ କରିିବେ। କୁହାଯାଉଛି ଯେ ଖୁବ୍ ଶୀଘ୍ର ସେ ଏ ଦିଗରେ ପଦକ୍ଷେପ ନେବେ। ମହାରାଷ୍ଟ୍ର ମୁଖ୍ୟ ଏକନାଥ ସିନ୍ଦେ ଚାହୁଁଛନ୍ତି ଯେ ତାଙ୍କ ଦଳର ଦାଦରରେ ଏକ ବିରାଟ କାର୍ଯ୍ୟାଳୟ ହେଉ। ସେ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ରାଜ୍ୟବାସୀ ତାଙ୍କୁ ଅପାର ଭଲପାଇବା ଦେଇଛନ୍ତି। ତାଙ୍କୁ ଆଶୀର୍ବାଦ ଦେବା ଏବଂ ତାଙ୍କୁ ସମର୍ଥନ କରିବା ପାଇଁ ଅନେକ ଲୋକ ତାଙ୍କୁ ଭେଟୁଛନ୍ତି। ଅନେକ ସାଧାରଣ ନାଗରିକମାନେ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ମୁମ୍ବାଇ ଆସୁଛନ୍ତି। ମୁମ୍ବାଇ ଆସିବା ସହିତ ସେମାନେ ନିଜ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ଏହିପରି ହଜାର ହଜାର ନାଗରିକଙ୍କୁ ଭେଟିବା ପାଇଁ ମୁମ୍ବାଇର ମଧ୍ୟ ଭାଗରେ ଏକ ବିରାଟ କାର୍ଯ୍ୟାଳୟ ଆବଶ୍ୟକ ରହିଥିବାରୁ ଶୀଘ୍ର ସେହି ଦିଗରେ ପଦକ୍ଷେପ ନିଆଯିବ ବୋଲି ସିନ୍ଦେ ଗୋଷ୍ଠୀର ବିଧାୟକ ସଦା ସରୱଣକର ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com