ତାରରେ ଲାଗିଥିବା ବାରହାକୁ ଉଦ୍ଧାର କଲା ବନ ବିଭାଗ
![](https://i0.wp.com/odia.mobilenews24x7.com/wp-content/uploads/2022/09/boar-22-e1663842601200.jpg?resize=780%2C470&ssl=1)
ବ୍ରହ୍ମପୁର, ୨୨/୦୯/୨୦୨୨- ଖୋଡାସିଙ୍ଗି ସ୍ଥିତ ରାମକୃଷ୍ଣ ନଗର ଷଷ୍ଠ ଗଳିରେ ତାର ଲାଗି ଛଟପଟ ହେଉଥିବା ଏକ ବାରହାକୁ ଉଦ୍ଧାର କରିଛି ବନ ବିଭାଗ । ଭୋର ସକାଳ ସମୟରେ ବାରହାଟି ଏକ ଲୁହା ତାରରେ ଫସି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ ।
ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ବାରହାଟିକୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଏକ ବିଦ୍ୟୁତ ପୋଲରେ ଲାଗିଥିବା ତାରରେ ବାରହାଟି ଲାଗି ଛଟପଟ ହେଉଥିବା କାରଣରୁ ପ୍ରଥମେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇ ବିଦ୍ୟୁତ ସରବରାହ ବନ୍ଦ କରିଥିଲେ । ଏହାପରେ ବନ କର୍ମଚାରୀମାନେ ଦୀର୍ଘ ଦୁଇ ଘଣ୍ଟା ପରିଶ୍ରମ କରି ବାରହାଟିକୁ ମୁକ୍ତ କରିଥିଲେ ।
ଏହି ଉଦ୍ଧାର କାର୍ଯ୍ୟରେ ବ୍ରହ୍ମପୁର ବନପାଳ ବାବୁ ସେଠି, ବନ ରକ୍ଷୀ କିଶୋର ଚନ୍ଦ୍ର ପଣ୍ଡା, ପାରା ବନ କର୍ମଚାରୀ ଦେବାଶିଷ ତ୍ରିପାଠୀ, ସୁନିଲ ଦାଶ, ଶ୍ରୀକାନ୍ତ ପଢିଆଳି, ଆକାଶ ପାଣିଗ୍ରାହୀ, ରବି ଦାଶ ପ୍ରମୁଖ ସାମିଲ ଥିଲେ । ବାରହାଟି ଖାଦ୍ୟ ଅନ୍ୱେଷଣରେ ଆସି ତାରରେ ଫଶି ଯାଇଥିଲା । ଉଦ୍ଧାରପରେ ବାରହାଟିକୁ ଜଙ୍ଗଲରେ ଛଡା ଯାଇଥିବା ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।