ଓଡ଼ିଶା

ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ଦାଖଲ

ନୂଆଦିଲ୍ଲୀ, ୨୪/୦୯/୨୦୨୨-  ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶନିବାର ଠାରୁ ଆରମ୍ଭ ହୋଇଛି । ଗାନ୍ଧୀ ପରିବାରରୁ କେହି ଏହି ପଦ ପାଇଁ ଲଢିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଛି । ଏଣୁ ଦୌଡରେ ଏବେ ଅଧିକରୁ ଅଧିକ ନେତାଙ୍କ ନାମ ସାମ୍ନାକୁ ଆସିଛି । ଆଜିଠାରୁ ୩୦ ତାରିଖ ପର‌୍ୟ୍ୟନ୍ତ ନାମାଙ୍କନ ଦାଖଲ ହେବ ।

ଦୁଇ ଦଶନ୍ଧି ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସର ଏହି ପଦବୀ । ତୁହାକୁ ତୁହା ଆଲୋଚନା, ସପକ୍ଷ ବିପକ୍ଷ ବୟାନବାଜି ଏବଂ ମାନସ ମନ୍ଥନ ପରେ ବି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ଦଳ ନିଷ୍କର୍ଷରେ ପହଞ୍ଚି ପାରୁନାହିଁ । ଆଶା ଏବଂ ସନ୍ଦେହ ମଧ୍ୟରେ ଦଳର ଏହି ସର୍ବୋଚ୍ଚ ପଦବୀରେ ନିଜ ନେତାଙ୍କୁ ବସାଇବା ପାଇଁ କେଉଁଠୁ ନା କେଉଁଠୁ ବୟାନ ଜାରି ରହିଛି । କେତେକ କ୍ଷେତ୍ରରେ ଅଧ୍ୟକ୍ଷ ପଦ ପାଇଁ ଆଶୟୀ ନେତା ଖୋଦ୍ ବୟାନ ଦେବାକୁ ପଛାଉ ନାହାନ୍ତି । ଏହି ପଦବୀ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦଳର ବୁଦ୍ଧୀଜୀବୀ ନେତା ଶଶି ଥରୁର, ଦିଗବିଜୟ ସିଂଙ୍କ ପରି ହେଭିୱେଟ ନେତାଙ୍କ ନାମ ଅଧିକ ଚର୍ଚ୍ଚା ହେଉଥିବା ବେଳେ ନାମାଙ୍କନ ପତ୍ର ମଗାଇଛନ୍ତି ଥରୁର ।

ଏମାନଙ୍କ ଭିତରେ ଗେହଲଟଙ୍କ ପଲ୍ଲା ଭାର ରହିଛି । କାରଣ ଗେହଲଟଙ୍କ ସମର୍ଥନରେ ରହିଛନ୍ତି ବିଭିନ୍ନ ରାଜ୍ୟ ବଡ ବଡ ନେତାମାନେ । ସେ ହିଁ ସଭାପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଯଦିଓ ପୂର୍ବରୁ ଥରୁର ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ତଥାପି ଗେହଲଟଙ୍କୁ ଟକ୍କର ଦେବାଭଳି ସମର୍ଥନ ତାଙ୍କ ପାଖରେ ନଥିବା ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି । ଏହି ପଦବୀ ପାଇଁ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com