
କାସ୍ମୀର ସ୍କୁଲ୍ରେ ପିଲାମାନଙ୍କୁ ଭଜନ ଗାଇବା ଓ ସୂର୍ଯ୍ୟ ନମସ୍କାର କରାଯାଉଥିବାରୁ ଏହାକୁ ବିରୋଧ କରିଛି ମୁତ୍ତାହିଦ୍ ମଜଲିସ୍-ଏ-ଉଲେମା(MMU)। ଘାଟିରେ ହିନ୍ଦୁ ଏଜେଣ୍ଡାକୁ ବଢ଼ାଇବା ଉଦ୍ଦେଶ୍ୟରେ ସ୍କୁଲ୍ ଓ ଶୈକ୍ଷିକ ସଂସ୍ଥାନ ଦ୍ୱାରା ଲାଗୁ କରାଯାଉଥିବା ଗତିବିଧିଗୁଡ଼ିକ ଉପରେ ରୋକ ଲଗାଇବା ନିହାତି ଆବଶ୍ୟକ ବୋଲି ଏମ୍ଏମ୍ୟୁ କହିଛି। ସୂଚନା ଥାଉକି, ଏମ୍ଏମ୍ୟୁ ୩୦ ଧାର୍ମିକ, ସାମାଜିକ ଓ ଶୈକ୍ଷିକ ସଂଗଠନ ସାମିଲ ରହିଛି। ଘଟଣା ଉପରେ ପ୍ରତିକ୍ରିୟା ରଖି ଏମ୍ଏମ୍ୟୁ କହିଛି “ସ୍କୁଲ ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନଗୁଡ଼ିକରେ ମୁସ୍ଲିମ ଛାତ୍ରାଛାତ୍ରୀଙ୍କୁ ହିନ୍ଦୁ ଧାର୍ମିକ ଗୀତ ଗାଇବା ଓ ସୂର୍ଯ୍ୟନମସ୍କାର କରିବାକୁ କୁହାଯାଉଛି। କାସ୍ମୀର ମୁସ୍ଲିମର ପରିଚୟ ଦୁର୍ବଳ କରିବାକୁ ଦୁର୍ଭାଗ୍ୟପୂର୍ଣ୍ଣ ପ୍ରୟାଶ। ଏହି ମାମଲାକୁ ନେଇ ଆମେ ଶ୍ରୀନଗର ଜାମା ମସ୍ଜିଦ୍ରେ ବୈଠକ କରିଥିଲୁ। ଏସବୁ କାମ ମୁସଲମାନଙ୍କ ଧାର୍ମିକ ଭାବନାକୁ ଆହାତ ପହଞ୍ଚାଉଛି ବୋଲି କୁହାଯାଇଛି। ଏଥିରେ ଆକ୍ରୋଶ ସୃଷ୍ଟ ହେଉଥିବା ବୋଲି ବୈଠକରେ କୁହାଯାଇଛି।” ବୈଠକରେ ଏଭଳି ଗତିବିଧି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ହୋଇଥିବା MMU କହିଛି।