ବାଣିଜ୍ୟ

ଘୋର ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନ

ଭୁବନେଶ୍ୱର, ୦୭/୦୧/୨୦୨୩ –   ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ପାକିସ୍ତାନ । ସ୍ଥିତି ଏପରି ହୋଇଛି ଯେ, ଏକ LPG ସିଲିଣ୍ଡର ଦାମ ୧୦,୦୦୦ ଟଙ୍କାରେ ପହଞ୍ଚିଛି । ସେହିପରି ବିଦ୍ୟୁତ୍ ଏବଂ ପେଟ୍ରୋଲିୟମ ଉତ୍ପାଦ ସଞ୍ଚୟ କରିବାକୁ ସରକାର ଶୀଘ୍ର ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସର ମୁଖ୍ୟ କାରଣ ହେଉଛି ଅନ୍ୟ ଦେଶଠାରୁ ନିଆ ଯାଇଥିବା ଋଣ କିସ୍ତିର ଚଳିତ ମାସରେ ପେମେଣ୍ଟ ।

ସେପଟେ ପାକିସ୍ତାନ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଦେଶ ଏବେ ଋଣ ଖିଲାପକାରୀ ହେବାର ଆଶଙ୍କା ବଢ଼ିବାରେ ଲାଗିଛି । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୮ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଏହି ହ୍ରାସ ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଦେଶ ନିକଟରେ ଗଚ୍ଛିତ ଥିବା ବୈଦେଶିକ ମୁଦ୍ରାଭଣ୍ଡାର ଶେଷ ହେବାରେ ଲାଗିଛି, ଯାହା ପାକିସ୍ତାନ ଋଣ ଖିଲାପକାରୀ ହେବାର ଆଶଙ୍କା ବୃଦ୍ଧି ଘଟାଉଛି । ଅନ୍ୟପକ୍ଷରେ,  ପାକିସ୍ତାନକୁ ଏଭଳି ପରିସ୍ଥିତିରେ ଋଣ ଖିଲାପରୁ ବର୍ତ୍ତିବାକୁ ହେଲେ ଅନ୍ୟ ଦେଶରୁ ଅଧିକ ଋଣ ନେବାକୁ ପଡିବ, ଯାହାର ବୋଝ ଆଗାମୀ ଦିନରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ଆହୁରି ଦୁର୍ବଳ କରିଦେବ ବୋଲି ଆଶଙ୍କା କରାଯାଉଛି ।

ବର୍ତ୍ତମାନ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୮ ବର୍ଷର ସର୍ବନିମ୍ନ ୫.୫ ବିଲିୟନ ଡ଼ଲାରରେ ପହଞ୍ଚିଛି । ଏହି କାରଣରୁ ଦେଶ ସମ୍ମୁଖରେ ଋଣ ଖିଲାପକାରୀ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ଋଣ ପରିଶୋଧ କରିବା ପାଇଁ ପାକ୍‌ ସରକାର ଏସ୍‌ବିପିର ବୈଦେଶିକ ମୁଦ୍ରା ଭଣ୍ଡାରରୁ ୨୪.୫କୋଟି ଡଲାର ପ୍ରତ୍ୟାହାର କରିଛନ୍ତି । ଏହି କାରଣରୁ, ପାକିସ୍ତାନ ସରକାରଙ୍କ ଆଗରେ ଋଣ ଖିଲାପକାରୀ ହେବାର ଏକ ଗୁରୁତର ବିପଦ ମାଡି ଆସୁଛି । ଏହି ସମୟରେ ପାକିସ୍ତାନ ପରବର୍ତ୍ତୀ ଋଣ କିସ୍ତି ପାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ଆଲୋଚନା ଆରମ୍ଭ କରିବାକୁ ଅନେକ ଚେଷ୍ଟା ଚଳାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com