ଅନ୍ୟାନ୍ୟ

 ଲୋଚାପଡା ପଞ୍ଚାୟତ ପ୍ରତି ପ୍ରଶାସନର ଅବହେଳା

ବ୍ରହ୍ମପୁର, ୨୭/୦୯/୨୦୨୨-   ସହର ତଳି ଅଞ୍ଚଳ ରୂପେ ଜଣାଶୁଣା ଲୋଚାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଳୁଆ ନଗର ଓ ବାସୁଦେବ ନଗର ଅଞ୍ଚଳ ରାସ୍ତା ଘାଟ ଠାରୁ ଆରମ୍ଭ କରି, ଷ୍ଟ୍ରିଟ ଲାଇଟ୍, ପାନୀୟ ଜଳ, ଡ୍ରେନ ଏବଂ ପରିମଳ ବ୍ୟବସ୍ଥାର ଅଭାବ ଏଭଳି ବିଭିଧ ସମସ୍ୟାରେ ଜର୍ଜରିତ ହେଉଥିଲେ ମଧ୍ୟ ଏହି ଅଞ୍ଚଳ ପ୍ରତି ଅଦ୍ୟାବଧି ପ୍ରଶାସନର ଶୁଭ ଦୃଷ୍ଟି ପଡ଼ିପାରିନାହିଁ ।  ଏହି ସହର ତଳି ଅଞ୍ଚଳ ସହର ସନ୍ନିକଟରେ ଅବସ୍ଥିତ ଥିଲେ ମଧ୍ୟ  ଏହା ସୁଦୂର କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଲୋଚାପଡା ପଞ୍ଚାୟତ ଅନ୍ତର୍ଗତ ଭାବେ ରହିଛି। ବ୍ଲକ ପ୍ରଶାସନ ଦ୍ବାରା ଏଠାରେ କୌଣସି ପ୍ରକାର ଆଖିଦୃଶିଆ ଉନ୍ନତି ମୂଳକ କାମ ହେଇପାରୁନଥିବାରୁ ଏଠାକାର ବାସିନ୍ଦା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ବ୍ରହ୍ମପୁର ମହାନଗର ନିଗମରେ ମିଶିବା ପାଇଁ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି।

ସମ୍ପ୍ରତି କଳୁଆ ନଗରରେ ୫ ଟି ସାହି ଏବଂ ବାସୁଦେବ ନଗରରେ ୭ଟି ସାହିରେ ବାର ଶହରୁ ପନ୍ଦର ଶହ ଘର ଥିବା ବେଳେ ମୋଟ ଜନସଂଖ୍ୟା ପାଞ୍ଚ ହଜାର ଅଟେ । ଏହା ସ୍ୱତ୍ତେ ଏଠାରେ ରାସ୍ତା ଘାଟ ବିପର୍ଯ୍ୟସ୍ତ ସମ୍ପୂର୍ଣ ରାସ୍ତା ଖାଲ ଖମାରେ ପୂର୍ଣ୍ଣ ଥିବାରୁ ଲୋକେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବ୍ୟବସ୍ଥିତ ଡ୍ରେନ ବ୍ୟବସ୍ଥାର ଅନୁପସ୍ଥିତି କାରଣରୁ ବର୍ଷା ହେଲେ ସହଜରେ ଜଳ ନିଷ୍କାସନ ହେଇ ପାରୁନଥିବାରୁ ଲୋକେ ଜଳ ବନ୍ଦୀ ଭଳି ରହନ୍ତି।  ସେହିଭଳି ଅନେକ ଜାଗାରେ ଲାଇଟ୍ ସଂଯୋଗ ନଥିବାରୁ ଲୋକେ ଭୟରେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି କାରଣ ଅନ୍ଧାରର ସୁଯୋଗ ନେଇ ସାପ ତଥା ଅନ୍ୟାନ୍ୟ ବିଷାକ୍ତ ହାନିକାରକ ଜୀବଜନ୍ତୁ ଅବାଧରେ ଚରାଚର କରୁଛନ୍ତି ।

ସେହିଭଳି ଏହି ଅଞ୍ଚଳକୁ ଏକେତ ଜାନିବିଲ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସାମିଲ କରାଯାଇ ନାହିଁ କିମ୍ବା ପଞ୍ଚାୟତ ଦ୍ଵାରା ମଧ୍ୟ ଅଦ୍ୟାବଧି ଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇ ପାରିନାହିଁ । ଫଳରେ ଲୋକେ ବିଶୁଦ୍ଧ ପାନୀୟ ଜଳ ମୁନ୍ଦେ ପାଇବାରେ ବଞ୍ଚିତ ହେଉଛନ୍ତି । ପଞ୍ଚାୟତ ଦ୍ଵାରା ନିୟମିତ ସଫେଇ ଏବଂ ଆବର୍ଜନା ସଂଗ୍ରହ ହେଇପାରୁନଥିବାରୁ ଅଞ୍ଚଳର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ। ସ୍ଥାନୀୟ ବାସିନ୍ଦା ଏହି ଅବ୍ୟବସ୍ଥା ଏବଂ ଅସୁବିଧାରେ ଜର୍ଜରିତ ହେଉଥିବା ସ୍ୱତ୍ତେ ବ୍ଲକ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଏପଟେ ଲୋକେ ବିଏମସିରେ ମିଶିଲେ ସ୍ଥିତିରେ ସୁଧାର ଆସିବ ଏବଂ ମୌଳିକ ସୁବିଧା ମିଳିବ ବୋଲି ଆଶା ବାନ୍ଧିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ମିଶିବା ଅଦ୍ୟାବଧି ଝୁଲନ୍ତା ଅବସ୍ଥାରେ ରହିଥିବାରୁ ତୁରନ୍ତ ବ୍ଲକ ପ୍ରଶାସନ ହସ୍ତକ୍ଷେପ କରି ମୌଳିକ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ସହ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଦାବୀ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com