ଓଡ଼ିଶା

ପାହାଡ଼କୁ ଯାଇ ପାଠ ପଢ଼ିବା ବେଳେ ବଜ୍ରାଘାତରେ ତିନି ଛାତ୍ର ଆହତ

ବାଲିଗୁଡା, ୦୭ /୧୦/୨୦୨୨-  ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର । ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ । ଘନ ଘନ ବଜ୍ରାଘାତରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଛାତ୍ରମାନେ । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଯୁକ୍ତ ଦୁଇର ଛାତ୍ର ଧିରେନ ଦିଗାଲ, ଦଶମ ଶ୍ରେଣୀର ଛାତ୍ର ପିଙ୍କୁ ମଲ୍ଲିକ ଓ ଅଷ୍ଟମ ଶ୍ରେଣୀର ଛାତ୍ର ପଞ୍ଚା ବେହେରା।

ଏହି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡା ଗାଁରେ । ଗୁରୁବାର ଦିନ ୪ଟା ସମୟରେ ୩ ଜଣ ଛାତ୍ର ଗାଁରେ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବା ପାଇଁ ଗାଁ ନିକଟରେ ଥିବା ଡିଗୀସରୁ ପାହାଡ଼କୁ ଯାଇଥିଲେ। ସେମାନେ ପାହାଡ଼ ଉପରେ ଥିବା ସମୟରେ  ବଜ୍ରାଘାତ ହେବା ସହିତ ବର୍ଷା ହୋଇଥିଲା । ଛାତ୍ରମାନେ କୌଣସି ଉପାୟରେ ପାହାଡ଼ ତଳକୁ ଆସି ନ ପାରି  ବଜ୍ରାଘାତରେ ୩ଜଣ ଛାତ୍ର ସେଠାରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ । ସନ୍ଧ୍ୟାରେ ପିଲାମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ମିଶି ପାହାଡ଼ ଉପରକୁ ଯାଇ ପିଲାମାନଙ୍କୁ ଖୋଜାଖୋଜି କରିଥିଲେ। ସେଠାରେ ୩ଜଣ ଛାତ୍ର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ ।

ପରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତି କରିଥିଲେ। ଧିରେନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତର କରାଯାଇଛି । ମୁଣ୍ଡାଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନାହିଁ । ଫଳରେ ଛାତ୍ରଛାତ୍ରୀଠାରୁ ଆରମ୍ଭ କରି ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ପାହାଡ଼ ଉପରକୁ ଯାଉଥିବା ବେଳେ ଗ୍ରାମବାସୀ ମଧ୍ୟ ଫୋନ୍ କରିବାକୁ ହେଲେ ପାହାଡ଼ ଉପରକୁ ଯାଇଥାନ୍ତି । ଗାଁରେ ମୋବାଇଲ ଟାୱାର ବସିଛି ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯାହାଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଗ୍ରାମବାସୀ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ନେଟଓ୍ୱାର୍କ ପାଇଁ ପାହାଡ଼କୁ ଯାଇଥାନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅକ୍ଷମ ଥିବା ମୋବାଇଲ ଟାୱାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବି ହେଉଛି l

Related Articles

Back to top button
WP Twitter Auto Publish Powered By : XYZScripts.com