ଓଡ଼ିଶା

ବିଜେଡି ବ୍ଲକ ସଭାପତିଙ୍କୁ ଅପହରଣ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଫେରାର

ବାଲିଗୁଡ଼ା () ଅଡୁଆରେ କନ୍ଧମାଳ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କୋଟଗଡ ବ୍ଲକ୍‌ ପ୍ରତିନିଧି। ନିଜ ଦଳର ବ୍ଲକ ସଭାପତିଙ୍କୁ ସେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହୃତ ନେତା ଉଦ୍ଧାର ହୋଇସାରିଥିବା ବେଳେ ସାଂସଦଙ୍କ ପ୍ରତିନିଧି ଫେରାର ଅଛନ୍ତି। ଏ ଘଟଣାରେ ୬ ଜଣଙ୍କୁ ଅଟକ ରଖିଥିବା ବେଳେ ତାଙ୍କୁ ଖୋଜୁଛି।

କୋଟଗଡ ବ୍ଲକ୍‌ ବିଜେଡି ସଭାପତି ହେଉଛନ୍ତି ଷ୍ଟିଫେନ୍‌ ପ୍ରଧାନ। ମଙ୍ଗଳବାର ସନ୍ଧ୍ୟା ବେଳେ ସେ ଓ ତାଙ୍କର ସମର୍ଥକମାନେ ଦୁଇଟି ବାଇକ୍‌ରେ ବଜାରକୁ ଯାଉଥିଲେ। ତେବେ କୋଟଗଡ଼ ହାଇସ୍କୁଲ ନିକଟରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ବ୍ଲକ୍‌ ପ୍ରତିନିଧି ମନୋଜ ସାବତ ଓ ତାଙ୍କ ସମର୍ଥକମାନେ ତାଙ୍କୁ(ଷ୍ଟିଫେନ୍‌) ଏବଂ ତାଙ୍କ ସାଥୀଙ୍କୁ ଜୋର ଜବରଦସ୍ତ ବୋଲେରୋରେ ଉଠାଇ ନେଇ ଯାଇଥିଲେ।

ଏକନିଛାଟିଆ ସ୍ଥାନରେ ସାବତଙ୍କ ସମର୍ଥକ ଷ୍ଟିଫେନ୍‌ଙ୍କ ସମର୍ଥକଙ୍କୁ ପ୍ରବଳ ପିଟିଥିଲେ। ତେବେ କୌଶଳ କ୍ରମେ ସେମାନେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଏହା ପରେ ସେମାନେ ରକ୍ତାକ୍ତ ଅବସ୍ଥାରେ କୋଟଗଡ଼ ଥାନାରେ ପହଞ୍ଚିଥିଲେ ଓ ଷ୍ଟିଫେନ୍‌ଙ୍କୁ ଅପହରଣ କରାଯାଇଥିବା ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେପଟେ ଏହି ଖବର ପ୍ରକାଶ ପାଇବା ପରେ ରାତିରେ କୋଟଗଡରେ ଉତ୍ତେଜନା ପ୍ରକାଶ ପାଇଥିଲା। ଷ୍ଟିଫେନ୍‌ଙ୍କ ସମର୍ଥକମାନେ ହାତରେ ବାଡ଼ି ଓ କାଠ ଫାଳିଆ ଧରି ରାସ୍ତାରୋକ କରିଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ବୁଝାସୁଝା କରିବାରେ ସଫଳ ହୋଇଥିଲା।

ଅନ୍ୟପକ୍ଷରେ ଅପହରଣକାରୀମାନେ ଷ୍ଟିଫେନ୍‌ଙ୍କୁ ଆନ୍ଧ୍ରପ୍ରଦେଶ ନେଇଯିବାକୁ ଚେଷ୍ଟା କରୁଥିଲେ। ପୁଲିସ ମନୋଜ ସାବତଙ୍କ ମୋବାଇଲ ଫୋନ୍‌କୁ ଟ୍ରାକ୍‌ କରି ଆଜି ସକାଳେ ଷ୍ଟିଫେନ୍‌ଙ୍କୁ ବାଲିଗୁଡ଼ାରୁ ଉଦ୍ଧାର କରିଛି। ଏହି ମାମଲାରେ ୬ ଜଣଙ୍କୁ ପୁଲିସ୍‌ ଅଟକ ରଖି ପଚରାଉ ଉଚରା କରୁଛି। ମନୋଜଙ୍କ ସମେତ ୫ ଜଣ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଦଳୀୟ ଗୋଷ୍ଠୀ କନ୍ଦଳ ପାଇଁ ଷ୍ଟିଫେନ୍‌ଙ୍କୁ ଅପହରଣ କରାଯାଇଥିବା ଆଲୋଚନା ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com