ଭବାନୀପାଟଣାରେ ଏକ୍ସ କେଡ଼ର ଶିକ୍ଷକଙ୍କ ଦରମାରେ ଜାଲିଆତି ଅଭିଯୋଗ
ଭବାନୀପାଟଣା, ୧୦ /୧୦/୨୦୨୨- କଳାହାଣ୍ଡି ଜିଲ୍ଲାର ଏକ୍ସ କେଡ଼ର ଶିକ୍ଷକ ସଂଘ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ଶିକ୍ଷକଙ୍କ ମାସକର ଦରମାରେ ଜାଲିଆତି ହୋଇଛି । ଜିଲ୍ଲାର ଭବାନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କେଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହୋଇଛି । ଏକ୍ସ କେଡ଼ର ଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତାଙ୍କ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିଥିଲେ ।
ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ତଦନ୍ତ ଆରମ୍ଭରୁ ହିଁ ଫେରାର ହୋଇଛନ୍ତି ଆକାଉଣ୍ଟାଣ୍ଟ ଶୁଚିସ୍ମିତା । ଯାହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଆକାଉଣ୍ଟାଣ୍ଟଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କୁ ପଚାରିବାରୁ ତାଙ୍କ ଦସ୍ତଖତ ଜାଲିଆତି କରାଯାଇଥିବାବେଳେ, ସେ ଏଘଟଣା ସମ୍ପର୍କରେ ଅବଗତ ନଥିବା କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।