ଭୁବନେଶ୍ୱର, ୧୭ /୧୦/୨୦୨୨- MBBS ଓ BDS ନାମଲେଖା ପାଇଁ ପ୍ରୋଭିଜନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ଓଡ଼ିଶାରେ ଥିବା ମେଡିକାଲ କଲେଜଗୁଡ଼ିକରେ ନାମଲେଖା ଲାଗି ୩ ହଜାର ୬୭୨ ଜଣ ଆବେଦନ କରିଥିବା ବେଳେ ୩ ହଜାର ୬୫୭ ଜଣଙ୍କ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ନିଟ୍ ପରୀକ୍ଷାରେ ଓଡ଼ିଶା ଟପର୍ ହୋଇଥିବା ପ୍ରିୟ ସୌମ୍ୟଦତ୍ତ ନାୟକ ଓଡ଼ିଶାରେ ପଢ଼ିବା ଲାଗି ନାମ ପଞ୍ଜୀକରଣ କରିଛନ୍ତି । ଓଡ଼ିଶାର ଛାତ୍ରଛାତ୍ରୀ ଉଭୟ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମର ରାଜ୍ୟ କୋଟାରେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪୫ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ବର୍ଗର ୩୧୧, ଅନୁସୂଚିତ ଜନଜାତି ବର୍ଗର ୩୦୩, ଏନ୍ଆରଆଇ ବର୍ଗର ୫୩ ଓ ରାଜ୍ୟ ସରକାରଙ୍କ ସରକାରୀ ସ୍କୁଲ ବର୍ଗରେ ୩୧୧ଜଣ ରହିଛନ୍ତି । କୌଣସି ଛାତ୍ରଛାତ୍ରୀଙ୍କୁ ଅଲଗା ଇନ୍ଣ୍ଟିମେସନ ପଠାଯିବ ନାହିଁ ।
ମେଧା ତାଲିକାରେ ସମସ୍ୟା ଥିବା ଛାତ୍ରଛାତ୍ରୀ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ଆବେଦନ କରିବାକୁ କୁହାଯାଇଥିଲା । ଆସନ୍ତା ୧୮ ତାରିଖରେ ଚୂଡ଼ାନ୍ତ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ । ଏନ୍ଇଇଟି ୟୁଜିରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଭାଗ ନେଇ ପାରିବେ । ଉକ୍ତ ଦୁଇ ପାଠ୍ୟକ୍ରମ ଲାଗି ସମ୍ପୂର୍ଣ୍ଣ କାଉନସେଲିଂ ପ୍ରକ୍ରିୟା ସମ୍ପର୍କରେ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।