ଲାଞ୍ଚ ନେଇ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର: ଏସିବି ମେଡିକାଲ

କଟକ: ବଡ଼ ଡାକ୍ତରଖାନାରେ ଗୁରୁବାର ପଶିଛି ଭିଜିଲାନ୍ସ ଟିମ୍ । ଲାଞ୍ଚ ନେବାବେଳେ ହେପାଟୋଲୋଜି ବିଭାଗର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ‘ହେପାଟାଇଟିସ୍-ସି’ ଚିକିତ୍ସା ଆଳରେ ଜଣେ ଦରିଦ୍ର ରୋଗୀଙ୍କ ପୁଅଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ତାଙ୍କୁ ଧରିଛି ଭିଜିଲାନ୍ସ। ସ୍ମୃତି ରଞ୍ଜନଙ୍କ ଦୁଇଟି ବାସସ୍ଥାନରେ ଚଢାଉ ଜାରି ରହିଛି । ଏବଂ ଅଧିକ ତଦନ୍ତ ଚାଲିଥିବା ନେଇ ଭିଜିଲାନ୍ସ ମୁଖ୍ୟାଳୟରୁ ପ୍ରକାଶ ।
ଅନ୍ୟପଟେ ହେପାଟାଇସି-ସିରେ ଆକ୍ରାନ୍ତ ହୋଇ ଜଣେ ହେପାଟୋଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ। ରୋଗୀଙ୍କ ପାଇଁ ଡାକ୍ତର ଲେଖିଥିବା ଔଷଧ ମାଗଣାରେ ସରକାର ପକ୍ଷରୁ ଯୋଗାଇ ଦିଆଯାଇଥାଏ। କିନ୍ତୁ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ଏହି ଔଷଧ ପାଇଁ ରୋଗୀଙ୍କ ପୁଅକୁ ୨ ହଜାର ଟଙ୍କା ଦେବାକୁ ଲାଞ୍ଚ ମାଗିଥିଲେ ।
ଟଙ୍କା ନ ଦେଲେ ଔଷଧ ମିଳିବ ନାହିଁ ବୋଲି କହିଥିଲେ । ଏ ସମ୍ପର୍କରେ ରୋଗୀଙ୍କ ପୁଅ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଆଜି ସ୍ମୃତି ରଞ୍ଜନ ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ତାଙ୍କ ଠାରୁ ଟଙ୍କା ଜବତ କରିଥିଲା। ସ୍ମୃତି ରଞ୍ଜନଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ପଚରାଉଚରା କରୁଛି ।