
୨୦୨୩ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାରାଦେଶରେ ନଭେମ୍ବର ୯ ତାରିଖରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଏହାସହ ୧୭ ବର୍ଷରୁ ଊର୍ଦ୍ଧ୍ୱ ଭୋଟରମାନଙ୍କୁ ଆଗୁଆ ଆବେଦନ ପତ୍ର ଦାଖଲ କରିପାରିବେ । ନୂତନ ଭୋଟରମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ ନିମନ୍ତେ ଆକୃଷ୍ଟ କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଞ୍ଜୀକରଣ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟରମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଭୋଟର୍ ହେଲ୍ପଲାଇନ୍ ଆପ୍ ଡାଉନ୍ଲୋଡ୍ କରି ନିଜେ ଘରେ ଆବେଦନ କରିପାରିବେ ଓ ନିକଟସ୍ଥ ବୁଥ୍ସ୍ତରୀୟ ଅଧିକାରୀଙ୍କ ଜରିଆରେ ‘ଗରୁଡ଼ ଆପ୍’ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରାଇପାରିବେ। ଏହା ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ୨୦୨୩ ମସିହା ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଙ୍ଗ ମାଧ୍ୟମରେ ଏକ ସମୀକ୍ଷା ବୈଠକକରିଛନ୍ତି । ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ଜନସାଧାରଣ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ। ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ-୬, ତାଲିକାରୁ ନାମ ବାଦ୍ କିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ନଂ-୭ରେ ଆବେଦନ ଓ ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ କିମ୍ବା ଫଟୋ ଲଗାଇବା ନିମନ୍ତେ ଫର୍ମ ନଂ-୮ରେ ଆବେଦନ କରିବାକୁ ପଡ଼ିବ। ସେହିପରି ସମସ୍ତେ ଭୋଟରକାର୍ଡରେ ଆଧାର ନମ୍ବର ସଂଯୋଗ କରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ କୁହାଯାଇଛି। ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟରେ ୪ଟି ‘ସ୍ୱତନ୍ତ୍ର ଅଭିଯାନ’ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏହି ସ୍ୱତନ୍ତ୍ର ଅଭିଯାନ ନଭେମ୍ବର ୧୨, ୧୩, ୨୬ ଓ ୨୭ରେ ହେବ। ଏହି ୪ଦିନ ରାଜ୍ୟର ସବୁ ବୁଥ୍ରେ ବୁଥ୍ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇଦେବେ। ପ୍ରତ୍ୟେକ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ରୋଲ୍ ପର୍ଯ୍ୟବେକ୍ଷକ ଭାବେ ଉକ୍ତ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ।