ବାଣିଜ୍ୟ

ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଏଣିକି ମିଳିବ ୧୦ ପ୍ରତିଶତ ସଂରକ୍ଷଣ

 ନୂଆଦିଲ୍ଲୀ, ୦୭/୧୧/୨୦୨୨-   ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏଣିକି ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ଏହି ସଂରକ୍ଷଣ ବ୍ୟବସ୍ଥା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର । ଏହି ସଂରକ୍ଷଣ ଉପରେ ସୋମବାର ମୋହର ଲଗାଇଛନ୍ତି ସୁପ୍ରିମ କୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ୭ ଦିନ ଧରି ମାମଲାର ଶୁଣାଣି କରିବା ପରେ ଏହା ଉପରେ ଚୂଡାନ୍ତ ରାୟ ଶୁଣାଇଛନ୍ତି ।

୫ ଜଣିଆ ଖଣ୍ଡପୀଠରୁ ୪ ଜଣ ଜଜ ସହମତି ଜଣାଇବା ପରେ ସର୍ବୋଚ୍ଚ କୋର୍ଟ ଏହାକୁ ଲାଗୁ ପାଇଁ ରାୟ ଦେଇଛନ୍ତି । । ସମ୍ବିଧାନର ଧାରା ୧୦୩ ସଂରକ୍ଷଣ ଅଧିନିୟମର ଏହା ବିରୋଧ କରୁଛି କି ନାଁ ଏହାକୁ ନେଇ ୫ଜଣ ବିଚାରପତିଙ୍କ ମଧ୍ୟରେ ଯୁକ୍ତି ହୋଇଥିଲେ । ଶେଷରେ ୫ଜଣଙ୍କ ମଧ୍ୟରୁ ୪ଜଣ ବିଚାରପତି ଇଡବ୍ଲୁଏସ୍ ସଂରକ୍ଷଣକୁ ଉଚିତ ବୋଲି ଯୁକ୍ତି ବାଢିଥିଲେ । ସମାଜର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ବିଶେଷ ସଂରକ୍ଷଣ – ସାମ୍ବିଧାନିକ ନିୟମକୁ ଉଲଂଘନ କରୁନାହିଁ ବୋଲି ଯୁକ୍ତି ବାଢି ଏହାକୁ ସମର୍ଥନ ଦେଇଥିଲେ ।

ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀଙ୍କ ସମେତ ୪ଜଣ ଜଷ୍ଟିସ୍ ଏହା ଉପରେ ସହମତି ପ୍ରକାଶ କରିବା ପରେ ଏହି ମାମଲାରେ ମୋହର ଲାଗିଛି । ପୂର୍ବରୁ ରାୟ ଉପରେ ଏକାଧିକ ଶୁଣାଣି ପରେ ଚୂଡାନ୍ତ ରାୟ ସଂରକ୍ଷିତ ରହିଥିଲା । ଗତ ୨୭ତାରିଖରେ ରାୟ ସଂରକ୍ଷିତ ରଖାଯାଇଥିଲା । ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ସମ୍ବିଧାନରେ ୧୦୩ ତମ ସଂଶୋଧନ କରାଯାଇଥିଲା । ଇଡବ୍ଲୁଏସ କୋଟାକୁ ତାମିଲନାଡୁର ଶାସକ ଦଳ ଡିଏମକେ ଓ କିଛି ସଂଗଠନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ୨୦୨୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଆବେଦନକାରୀ ଓ ପ୍ରତିପକ୍ଷଙ୍କ ସବୁ ଦଲିଲ ଶୁଣିବା ପରେ ଶେଷରେ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com