ବାଣିଜ୍ୟ

ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ଭାରତ ଉପରେ ପଡ଼ିବ : ବିଶ୍ଵବ୍ୟାଙ୍କ

ଭୁବନେଶ୍ୱର, ୦୮/୧୨/୨୦୨୨ –  ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ଭାରତ ବିଶ୍ଵର ପ୍ରଥମ ଦେଶ ଭାବେ ସବୁଠୁ ଉତ୍ତପ୍ତ ସ୍ଥଳ ହେବାକୁ ଯାଉଛି । କିଛି ବର୍ଷ ମଧ୍ୟରେ ଏଠାରେ ତାପମାତ୍ରା ଏଭଳି ସ୍ତରରେ ବଢିବ ଯେ , ତାହାକୁ ମଣିଷ ସହ୍ୟ କରିବା ଅସମ୍ଭବ ହୋଇପଡ଼ିବ । ଯାହାକୁ ନେଇ ଆଗାମୀ କିଛି ଦଶକ ମଧ୍ୟରେ ସ୍ଥିତି ଅଧିକ ଜଟିଳ ହେବା ସହିତ ଅର୍ଥନୀତିର ଗତି ମଧ୍ୟ ବିପଦମୁଖୀ ହୋଇପଡ଼ିବ । ଆଗାମୀ ଦିନରେ ଏହା ଆହୁରି ଜଟିଳ ଅକାର ଧାରଣ କରିବ। ଫଳରେ ଭାରତରେ ଏହାର ନକାରାତ୍ମକ ପ୍ରଭାବ ବହୁଗୁଣିତ ହେବା ସହିତ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ଯାହା ମଣିଷ ପାଇଁ ଅସହ୍ୟ ହୋଇପଡ଼ିବ । ଏହା ସହ ନିୟମିତ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଘଟିବ ବୋଲି ବିଶ୍ଵବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ବିଶ୍ଵବ୍ୟାଙ୍କ ଜାରି କରିଥିବା ‘ କ୍ଳାଇମେଟ ଇନଭେଷ୍ଟମେଣ୍ଟ ଅପରଚୁନିଟିଜ୍ ଇନ ଇଣ୍ଡିଆଜ୍ କୁଲିଂ ସେକ୍ଟର’ ଶୀର୍ଷକ ରିପୋର୍ଟରେ ଏପରି କୁହାଯାଇଛି ।

କେବଳ ସେତିକି ନୁହେଁ, ଉତ୍ତାପ ବୃଦ୍ଧି ଭାରତର ଉତ୍ପାଦନ କ୍ଷେତ୍ର ଏବଂ ପରୋକ୍ଷରେ ଅର୍ଥନୀତି ପାଇଁ ମଧ୍ୟ ବିପଦ ସ୍ଥିତି ସୃଷ୍ଟି କରିବ। ପ୍ରବଳ ତାପମାତ୍ରା ଯୋଗୁଁ ୨୦୩୦ ସୁଦ୍ଧା ଭାରତରେ ପ୍ରାୟ ୩୪ ନିୟୁତ ଲୋକ ନିଯୁକ୍ତି ହାରାଇବେ ବୋଲି ବିଶ୍ଵବ୍ୟାଙ୍କ କହିଛି । ଏହି ରିପୋର୍ଟରେ ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶର ମୋଟ ଶ୍ରମିକମାନଙ୍କ ମଧ୍ୟରୁ ଶତକଡ଼ା ୭୫ ଭାଗ ଲୋକ ପ୍ରତ୍ୟକ୍ଷ ଭାବେ ଖରା ତରାରେ କାର୍ଯ୍ୟ କରୁଛନ୍ତି ।

ଏହି ସଂଖ୍ୟା ପ୍ରାୟ ୩୮୦ ନିୟୁତ ରହିଥିଲା ବେଳେ ପ୍ରବଳ ଉତ୍ତାପକୁ ନେଇ ୩୪ ନିୟୁତ ଲୋକ ଜୀବିକା ହରାଇବେ । ସେହିପରି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାରା ବିଶ୍ଵରେ ପ୍ରାୟ ୮୦ ନିୟୁତ ଲୋକ ନିଯୁକ୍ତି ହରାଇବେ ବୋଲି ଏହି ରିପୋର୍ଟରେ କୁହାଯାଇଛି । ସେହିପରି ଉତ୍ତାପ ବଢିବା ଯୋଗୁଁ ଭାରତର ‘କୋଲ୍ଡ ଚେନ ନେଟୱର୍କ’ ମଧ୍ୟ ପ୍ରଭାବିତ ହେବ। ଅଧିକ ମାତ୍ରାରେ ତାପମାତ୍ରା ଯୋଗୁଁ ଖାଦ୍ୟ ଏବଂ ଔଷଧ ପରିବହନକୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ସାମିଲ କରିବାକୁ ପଡ଼ିବ। କିନ୍ତୁ ଏହା କରାଯାଇ ନପାରିଲେ ଅଧିକାଂଶ ଉତ୍ପାଦିତ ଔଷଧ ନଷ୍ଟ ହୋଇଯିବ। ଫଳରେ ଭାରତର ମୋଟ ଜିଡିପିର ୪.୫ ପ୍ରତିଶତ ବା ୧୫୦ ରୁ ୨୫୦ ବିଲିୟନ ଡଲାର କ୍ଷତି ଘଟିବାର ଆଶଙ୍କା ଦେଖାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com