ଅନ୍ୟାନ୍ୟ

ରୁଷ୍‌ ବଦଳାଉଛି ରଣନୀତି; ପ୍ରୟୋଗ କରିପାରେ ରାସାୟନିକ ଅସ୍ତ୍ର !

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ପରିସ୍ଥିତିକୁ ନେଇ ରୁଷିଆର ଆଭିମୁଖ୍ୟ କ’ଣ ରହିଛି ତାହାକୁ ଆକଳନ କରିବାକଷ୍ଟ ହୋଇପଡ଼ିଛି। ଶୁକ୍ରବାର ଠାରୁ ୟୁକ୍ରେନର ବିଭିନ୍ନ ସହରରୁ ରୁଷିଆ ନିଜର ସେନା ଅପସାରଣ କରିବା ଆରମ୍ଭ କରିଥିଲା ବେଳେ ଶାନ୍ତି ଆଲୋଚନା ପାଇଁ ଏହା ପଥ ପ୍ରସ୍ତୁତ କରିବ ବୋଲି ଆକଳନ କରାଯାଉଛି। କିନ୍ତୁ ଅନ୍ୟ ସହରରେ ରୁଷ ସେନାର ଆକ୍ରମଣ ଏଭଳି ଆକଳନକୁ ଭୁଲ ପ୍ରମାଣିତ କରୁଛି। ଶନିବାର ମାଇକୋଲିଭ ସହରରେ ରୁଷ ସେନାର କ୍ଷେପଣାସ୍ତ୍ର ମାଡରେ ପ୍ରାୟ ୩୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁୂକ୍ରେନ ରାଜଧାନୀ କିଭ୍‌ ସମେତ ଚେର୍ନୋହିଭ ଏବଂ ଚେର୍ନୋବିଲ ଆଦି ସହର ବ୍ୟତୀତ ଉତ୍ତର ୟୁକ୍ରେନର ଅନେକ ଭାଗରୁ ରୁଷ ସେନା ହଟିବା ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି ଜେଲେଁସ୍କିଙ୍କ ପରାମର୍ଶଦାତା ମାଇଖାଲିଓ ପୋଡୋଲିଆକ କହିଛନ୍ତି। ଏପରିକି ୟୁକ୍ରେନର ଆଣବିକ କେନ୍ଦ୍ର ସହର ଚେର୍ନୋବିଲରେ ୟୁକ୍ରେନ ସରକାର ପୁଣି ଜାତୀୟ ପତାକା ଉଡାଇଥିବା ସେ କହିଛନ୍ତି। ହେଲେ ରୁଷ ସେନାର ଏଭଳି ଆଭିମୁଖ୍ୟକୁ ସହଜରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ରୁଷିଆ ନିଜର ରଣନୀତି ପରବିର୍ତ୍ତନ କରିବା ଦିଗରେ ଏଭଳି ପଦକ୍ଷେପ ନେଇଥାଏ ପାରେ ବୋଲି ମାଇଖାଲିଓ କହିଛନ୍ତି। ଅନ୍ୟପକ୍ଷରେ ରୁଷ ରାସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତୁତ ହେଉଛି ବୋଲି ପାଶ୍ଚାତ୍ୟ ବିଶେଷଜ୍ଞମାନେ ଆକଳନ କରିଥିଲା ବେଳେ ପରମାଣୁ ଯୁଦ୍ଧକୁ ଶେଷ ବିକଳ୍ପ ଭାବେ ଅନ୍ୟ କିଛି ମହଲ ଚିନ୍ତା କରୁଛନ୍ତି। ତେବେ ରୁଷ ରାସାୟନିକ ଅସ୍ତ୍ର ପ୍ରୟୋଗ କଲେ ଆମେରିକା ୟୁକ୍ରେନକୁ ସୁରକ୍ଷା କବଚ ଯୋଗାଇ ଦେବାକୁ ଘୋଷଣା କରିଛି। ଏଥିପାଇଁ ଆମେରିକା ପକ୍ଷରୁ ୩୦ କୋଟି ଡଲାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com