ଜାତୀୟ

ତ୍ରିରଙ୍ଗା ବୟାନ ନେଇ ଥମୁନି ବିବାଦ, ବିଧାନସଭାରେ ରାତି କାଟିଲେ କଂଗ୍ରେସ ବିଧାୟକ

କର୍ଣ୍ଣାଟକ() କର୍ଣ୍ଣାଟକ ସରକାରର ଗ୍ରାମୀଣ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ତ୍ରିରଙ୍ଗା ଉପରେ ବୟାନକୁ ନେଇ ଜାରି ରହିଛି ବିବାଦ । ଇଶ୍ୱରପ୍ପା ଇସ୍ତଫା ଦାବିରେ ଗୁରୁବାର ରାତିସାରା ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା । କଂଗ୍ରେସ ବିଧାୟକମାନେ ଏଠାରେ ଏକ ନିଆରା ଢଙ୍ଗରେ ବିରୋଧ କରିଥିଲେ ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ପଞ୍ଚାୟତିରାଜ ରାଜ କେ.ଏସ ଇଶ୍ୱରପ୍ପାଙ୍କ ଲାଲ କିଲ୍ଲାରେ ଗେରୁଆ ପତାକା ଉତ୍ତୋଳନ କରିବା ଟିପ୍ପଣୀ ନେଇ ଏହି ବିରୋଧ ପ୍ରଦର୍ଶନ ହୋଇଛି । ଇଶ୍ୱରପ୍ପା ଦାବି କରଥିଲେ ଯେ ଭବିଷ୍ୟତରେ କେବଳ ଗେରୁଆ ପତାକା ଜାତୀୟ ପତାକା ହୋଇପାରିବ । ତାଙ୍କ ମନ୍ତବ୍ୟକୁ ରାଷ୍ଟ୍ର ବିରୋଧୀ ବୋଲି ବର୍ଣ୍ଣନା କରି କଂଗ୍ରେସ ବିଧାୟକମାନେ ବିଧାନସଭାରେ ହଙ୍ଗାମା ଆରମ୍ଭ କରିଥିଲେ ।

କ୍ୟାବିନେଟ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପରେ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ସେମାନଙ୍କର ଦାବି ଥିଲା ଯେ ଇଶ୍ୱରପ୍ପାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ ଏବଂ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଉ। ଏହା ପରେ ଉତ୍ତେଜନା ବଢିବାକୁ ଲାଗିଲା ।

ଏହି ସମୟରେ, ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏବଂ ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେ ମଧ୍ୟ ଗୃହର ପ୍ରକ୍ରିୟାକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ ପାଇଁ ବିରୋଧୀଙ୍କୁ ନିବେଦନ କରିଥିଲେ କିନ୍ତୁ ଉତ୍ତେଜନା ଥମି ନ ଥିଲା। ଏହାପରେ ଗୃହ ସ୍ଥଗିତ ରଖାଯାଇଥିଲା। ପରେ ବିଧାନସଭା ସ୍ଥଗିତ ହେବାରୁ ବିରୋଧୀ ଦଳର ନେତାମାନେ ତକିଆ ଓ କମ୍ବଳ ଧରି ବିଧାନସଭାରେ ପହଞ୍ଚି ସେଠାରେ ରାତି ବିତାଇ ବିରୋଧ କରିଥିଲେ । ଏହି ସମୟରେ ବାଚସ୍ପତି ସମସ୍ତ ନେତାଙ୍କ ଖାଦ୍ୟ ପାଇଁ ବ୍ୟବସ୍ଥା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com